ଟି୨୦ ବିଶ୍ବକପ ମ୍ୟାଚ୍: ଆଜି ଭାରତ-କାନାଡା ମ୍ୟାଚ୍
ଆଜି(ଶନିବାର) ଭାରତ ଓ କାନାଡା ମଧ୍ୟରେ ଗ୍ରୁପ-ଏ ର ଏକ ମ୍ୟାଚ ଫ୍ଲୋରିଡାର ଲୌଡରହିଲରେ ଖେଳାଯିବ। ଭାରତ ସୁପର-୮ରେ ପ୍ରବେଶ କରିସାରିଥିବାବେଳେ ଶେଷ ମ୍ୟାଚକୁ ଜିତି ଗ୍ରୁପ ଶୀର୍ଷରେ ରହିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ କାନାଡା ୩ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ସହ ୪ର୍ଥ ସ୍ଥାନରେ ରହିଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ପ୍ରଥମ ମ୍ୟାଚରେ ଆର୍ୟଲାଣ୍ଡକୁ ୮ ୱିକେଟରେ, ଦ୍ବିତୀୟ ମ୍ୟାଚରେ ପାକିସ୍ତାନକୁ ୬ରନରେ ଓ ତୃତୀୟ ମ୍ୟାଚରେ ଆମେରିକାକୁ ୭ ୱିକେଟରେ ପରାସ୍ତ କରିଥିଲା। ବ୍ୟାଟିଂରେ ରୋହିତ ଶର୍ମା ଭଲ ପ୍ରଦର୍ଶନ କରୁଥିବାବେଳେ ଓପନିଂ କରୁଥିବା ବିରାଟ କୋହଲି ବିଫଳ ହେଉଛନ୍ତି। କୋହଲି ୩ଟି ମ୍ୟାଚରୁ ମାତ୍ର ୫ରନ କରିଛନ୍ତି। ଅନ୍ୟପକ୍ଷରେ ରୋହିତ ୩ଟି ମ୍ୟାଚରୁ ୬୮ରନ କରିଛନ୍ତି। ୩ ନମ୍ବର ସ୍ଥାନରେ ଋଷଭ ପନ୍ତ୍ ଭଲ ପ୍ରଦର୍ଶନ କରୁଛନ୍ତି। ପନ୍ତ୍ ଆର୍ୟଲାଣ୍ଡ ବିପକ୍ଷରେ ୩୬, ପାକିସ୍ତାନ ବିପକ୍ଷରେ ୪୨ ଓ ଆମେରିକା ବିପକ୍ଷରେ ୧୮ରନ କରିଥିଲେ। ଟି୨୦ ସ୍ପେଶାଲିଷ୍ଟ ସୂର୍ଯ୍ୟକୁମାର ଯାଦବ ଆମେରିକା ବିପକ୍ଷରେ ଦାୟିତ୍ବପୂର୍ଣ୍ଣ ଅପରାଜିତ ୫୦ରନ କରି ଫର୍ମର ପରିଚୟ ଦେଇଛନ୍ତି। ଶିଭମ ଦୁବେ ମଧ୍ୟ ଶେଷ ମ୍ୟାଚରେ ୩୧ରନ କରିଥିଲେ। କୋହଲିଙ୍କ ବ୍ୟାଟିଂ ଫର୍ମକୁ ନେଇ ଭାରତ ଚିନ୍ତାରେ ପଡ଼ିଛି। କାନାଡା ବିପକ୍ଷରେ ଭାରତ ବ୍ୟାଟିଂ ଲାଇନରେ କିଛି ପରିବର୍ତ୍ତନ କରିବା ନେଇ ଆଶା କରାଯାଉଛି। କୋହଲିଙ୍କୁ ଓପନିଂ ବଦଳରେ ୩ ନମ୍ବର ସ୍ଥାନରେ ଓ ଦୁବେଙ୍କ ସ୍ଥାନରେ ଯଶସ୍ବୀ ଜୟସୱାଲ ଖେଳିବା ନେଇ ଆଶା କରାଯାଉଛି। ଜୟସୱାଲ ଓପନିଂ କରିବାବେଳେ କୋହଲି ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିପାରନ୍ତି। ପନ୍ତ୍ ୩ ନମ୍ବର ବଦଳରେ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ନେଇ ଆଶା କରାଯାଉଛି। ବୋଲିଂ ବିଭାଗରେ ଦଳ ବହୁତ ଭଲ ପ୍ରଦର୍ଶନ କରୁଛି। ଯଶପ୍ରୀତ ବୁମ୍ରା ୫ଟି, ଅର୍ଶଦୀପ୍ ସିଂହ ୭ଟି, ହାର୍ଦିକ ପାଣ୍ଡ୍ୟା ୭ଟି ଓ୍ବିକେଟ୍ ନେଇଛନ୍ତି। ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ୱିକେଟ ହାସଲ କରୁଛନ୍ତି। ଆମେରିକା ବିପକ୍ଷରେ ଭାରତ ବୋଲିଂରେ ମଧ୍ୟ ଗୋଟିଏ ପରିବର୍ତ୍ତନ କରିବା ନେଇ ଆଶା କରାଯାଉଛି। ମହମ୍ମଦ ସିରାଜ୍ଙ୍କ ସ୍ଥାନରେ କୁଳଦୀପ୍ ଯାଦବଙ୍କୁ ସୁଯୋଗ ମିଳିପାରେ। ସୁପର-୮ ପୂର୍ବରୁ ଭାରତ ଉକ୍ତ ମ୍ୟାଚକୁ ଜିତି ମନୋବଳ ଦୃଢ କରିବାକୁ ନିଶ୍ଚିତ ଉଦ୍ୟମ କରିବ। ଅନ୍ୟପକ୍ଷରେ କାନାଡା ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ଦୁଇଟି ପରାଜିତ ହୋଇଛି।