ରାଜ୍ୟସଭା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ରାଜ୍ୟସଭାରେ ଖାଲି ହେଇଥିବା ୧୦ଟି ସିଟରେ ଉପ ନିର୍ବାଚନ କରିବା ନେଇ ଘୋଷଣା କରାଯାଇଛି । ରାଜ୍ୟସଭା ସଚିବାଳୟ ତରଫରୁ ୧୦ଟି ସିଟରେ ଉପ ନିର୍ବାଚନ ହେବା ନେଇ ନୋଟିଫିକେସନ୍ ଜାରି କରାଯାଇଛି । ତେବେ ଏଥର କିନ୍ତୁ ରାଜ୍ୟସଭା ନିର୍ବାଚନ ଏନଡିଏ ମେଣ୍ଟକୁ ଫାଇଦା ଦେବ । ଅନ୍ୟପଟେ ଇଣ୍ଡିଆ ମେଣ୍ଟ ରାଜ୍ୟସଭା ଉପ ନିର୍ବାଚନରେ କ୍ଷତି ସହିବ ବୋଲି ଅନୁମାନ କରାଯାଉଛି ।
ରାଜ୍ୟସଭା ଉପ ନିର୍ବାଚନରେ ସମସ୍ତ ସିଟ୍ ଏନଡିଏ ମେଣ୍ଟ ପାଖକୁ ଯାଇପାରେ ବୋଲି କୁହାଯାଉଛି । କାହିଁକି ନା, ଉପ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଏବେ ବିଜେପି ତଥା ଏନଡିଏ ସରକାର ରହିଛି । ତେଣୁ ଉପ ନିର୍ବାଚନରେ ଏନଡିଏ ବାଜି ମାରିବାକୁ ଥିବାବେଳେ, କଂଗ୍ରେସ ରାଜ୍ୟସଭାରେ ୨ଟି ସିଟ୍ କ୍ଷତି ସହିବ ବୋଲି କୁହାଯାଉଛି ।
କଂଗ୍ରେସର ଦୁଇ ରାଜ୍ୟସଭା ସାଂସଦ କେସି ବେଣୁଗୋପାଳ ଏବଂ ଦୀପେନ୍ଦ୍ର ହୁଡ୍ଡା ଏଥର ଲୋକସଭା ନିିର୍ବାଚନ ଲଢି ଜିତାପଟ ହାସଲ କରିଛନ୍ତି । ବେଣୁଗୋପାଳ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଥିଲାବେଳେ, ହୁଡ୍ଡା ହରିୟାଣାରୁ ରାଜ୍ୟସଭାକୁ ନିର୍ବାଚିତ ହେଇଥିଲେ । ହେଲେ ଏହି ଦୁଇ ରାଜ୍ୟରେ ବର୍ତ୍ତମାନ ବିଜେପି ସରକାର ଥିବାରୁ, ଏନଡିଏ ସମର୍ଥିତ ପ୍ରାର୍ଥୀ ବିଜୟୀ ହେବା ନେଇ ଅନୁମାନ କରାଯାଉଛି ।
ଜେଜେପି ଏନଡିଏ ମେଣ୍ଟଠାରୁ ଅଲଗା ହେବାର କିଛି ମାସ ପରେ, ହରିୟାଣାରେ ରାଜ୍ୟସଭା ଉପ ନିର୍ବାଚନ ହେବାକୁ ଯାଉଛି । ତେଣୁ ଏଠାରେ ରାଜ୍ୟସଭା ଉପ ନିର୍ବାଚନରେ ବହୁତ ବଡ ଖେଳ ହେଇପାରେ ବୋଲି ରାଜନୈତିକ ପଣ୍ଡିତମାନେ କହିବା ଆରମ୍ଭ କଲେଣି । ଏମିତିରେ କଂଗ୍ରେସ ଏଠାରେ ପ୍ରାର୍ଥୀ ଦେବ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟତା ନଥିଲେ ବି, ଯଦି ପ୍ରାର୍ଥୀ ଦିଏ ତେବେ ଭୁପେନ୍ଦ୍ର ହୁଡ୍ଡାଙ୍କ କେହି ପାଖ ଲୋକଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।