ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି

ଆଗାମୀ ୩ରୁ ୪ଦିନ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳ ସମେତ ଆନ୍ଧ୍ର ଉପକୂଳ ଓ ବଙ୍ଗୋପସ‌ାଗରର ଉତ୍ତର ପଶ୍ଚିମ ଅଞ୍ଚଳକୁ ସ୍ପର୍ଶ କରିବା ନେଇ ପାଗ ଅନୁକୂଳ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମୌସୁମୀ ସ୍ପର୍ଶ କରିବା ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀଷ୍ମପ୍ରବ‌ାହ ଓ ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ।୧୫ ତାରିଖଠାରୁ ପାଗରେ ପରିବର୍ତ୍ତନ ହୋଇପାରେ। ଗ୍ରୀଷ୍ମ ପ୍ରବାହ ସାମାନ୍ୟ କମିବା ସହ କାଳବୈଶାଖୀ ହେବ। ୧୬ ତାରିଖରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୭ ତାରିଖଠାରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ।ଗତ ୩୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି। କନ୍ଧମାଳ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲାର ବ‌ାଲିଗୁଡ଼ାଠାରେ ସର୍ବାଧିକ ୧୦ ସେମି ବର୍ଷା ହୋଇଥିବା ବେଳେ କୋଷଗୁମୁଡ଼ାରେ ୭ ସେମି, ତେନ୍ତୁଳି ଖୁଣ୍ଟିରେ ୪ ସେମି, ଗୋଳମୁଣ୍ଡା, ନବରଙ୍ଗପୁର, ବଡ଼େନ୍‌, ଧରାକୋଟ ଓ ଗୁଡ଼ବେଳାରେ ୩ ସେମି, କର୍ଲାମୁଣ୍ଡା, ଭଞ୍ଜନଗର, ଦେଓଗାଁ, ରାଇଘର, ଡାବୁଗାଁ, ପାପଡ଼ାହାଣ୍ଡି, ସିନାପଲ୍ଲୀ, ରାଇକିଆ, ଆର୍‌ ଉଦୟଗିର‌ିରେ ୨ ସେମି, ବେଲଗୁଣ୍ଠା, ଗୁଡ଼ାରି, କୋଟପାଡ, କୋମନା, ସଇଁତ‌ଳା, କାଶିପୁର, ବୋରିଗୁମ‌ା, ନନ୍ଦାହାଣ୍ଡି, ଖଜୁରିପଡ଼ାରେ ୧ ସେମି ବର୍ଷା ହୋଇଛି। ଆଜି ଦିନରେ ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ରହିଥିଲା। ନୂଆପଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରି ରେକର୍ଡ କରାଯାଇଛି।