ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ

ଓଡ଼ିଶାରେ ଆଜି(୨୦୨୪ ଜୁନ୍‌ ୧୨)ଠାରୁ ବିଜେପି ସରକାର ଆରମ୍ଭ ହୋଇଛି। ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର ବିଧାନସଭା ଆସନରୁ ୪ ଥର ନିର୍ବାଚିତ ମୋହନ ଚରଣ ମାଝୀ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ରାଜ୍ୟପାଳ ରଘୁବର ଦାସଙ୍କ ଠାରୁ ଶ୍ରୀ ମାଝୀ ପଦ ଓ ଗୋପନୀୟତାର ସହିତ ଶପଥ ଗ୍ରହଣ କରିଛନ୍ତି।ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା। ରାଜ୍ୟପାଳ ରଘୁବର ଦାସ ପ୍ରଥମେ ମୋହନ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ, ଏହାପରେ ତାଙ୍କର ଦୁଇ ଉପମୁଖ୍ୟମନ୍ତ୍ରୀ ଦ୍ବୟ ଶପଥ ନେଇଥିଲେ।

ମୋହନ୍‌ ମାଝୀଙ୍କ ଶପଥ ଗ୍ରହଣ ସମାରୋହରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ଜଗତ ପ୍ରକାଶ ନଡ୍ଡା, ନିତିନ ଗଡ଼କରୀ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ବିନୀ ବୈଷ୍ଣବ, ଓଡ଼ିଶାରୁ ନବନିର୍ବାଚିତ ସାଂସଦ ଏବଂ ବିଧାୟକ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ,  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।