ପ୍ରଥମ ଥର ମୁହାଁମୁହିଁ ହେବେ ଦୁଇ ଦଳ

ଦୁଇ ଦିନ ତଳେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ରୋମାଞ୍ଚକ ଭାବେ ହରାଇଥିବା ଭାରତୀୟ କ୍ରିକେଟ୍ ଦଳ ତା’ର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌ରେ ବୁଧବାର ଅନ୍ୟତମ ଆୟୋଜକ ଆମେରିକାକୁ ଭେଟିବ। ଭାରତୀୟ ସମୟ ରାତି ୮ଟାରୁ ମ୍ୟାଚ୍ ଆରମ୍ଭ ହେବ। ବୁଧବାରର ଏହି ମ୍ୟାଚ୍‌ରେ ପୂର୍ବ ମୁକାବିଲାର ବ୍ୟାଟିଂ ବିଫଳତାକୁ ଦୂର କରି ଭାରତ ସୁପର-୮ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ପାକିସ୍ତାନ ଭଳି ବଡ଼ ଦଳକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଆମେରିକା ଭାରତକୁ ହରାଇ ପ୍ରତିଯୋଗିତାରେ ସବୁଠୁ ବଡ଼ ଓଲଟ ପାଲଟ କରିବା ଯୋଜନାରେ ପଡ଼ିଆକୁ ଓହ୍ଲାଇବ। ଏଥିଲାଗି କିନ୍ତୁ ତାକୁ ସବୁଦୃଷ୍ଟିରୁ ଉଚ୍ଚସ୍ତରୀୟ କ୍ରିକେଟ୍ ଖେଳିବାକୁ ହେବ। କ୍ରିକେଟ୍ ପଡ଼ିଆରେ ଉଭୟ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି। ସେଥିପାଇଁ ମ୍ୟାଚ୍‌ର ଫଳାଫଳ ଯାହା ହେଉନା କାହିଁକି କ୍ରିକେଟ୍ ପୃଷ୍ଠାରେ ବୁଧବାର ନୂଆ ଇତିହାସ ଲେଖାହେବ।