ଖୁବଶୀଘ୍ର ଜହିର ଇକବାଲଙ୍କ ହାତ ଧରିବେ ସୋନାକ୍ଷୀ

ଦୀର୍ଘ ଦିନ ଧରି ସୋନାକ୍ଷୀ ଜହିର ଇକବାଲଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି। ଇତି ମଧ୍ୟରେ ଖବର ଆସିଛି ଯେ ଅଭିନେତ୍ରୀ ଜୁନ୍ ୨୩ରେ ମୁମ୍ବଇରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହାପରେ ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି।

ସୂଚନାଯୋଗ୍ୟ ଯେ, ସୋନାକ୍ଷୀ ସିହ୍ନା ଏବଂ ଅଭିନେତା ଜହିର ଇକବାଲ ସାମାଜିକ ଗଣମାଧ୍ୟମରେ ଉଭୟଙ୍କର ଫଟୋ ସୁନ୍ଦର କ୍ୟାପ୍ସନ ସହିତ ପୋଷ୍ଟ କରିଥା’ନ୍ତି। ନିକଟରେ ଅଭିନେତା ସୋନାକ୍ଷୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଏକ ପୋଷ୍ଟ ଶେୟାର କରିଥିଲେ, ଯେଉଁଥିରେ ସେ କିଛି ରୋମାଣ୍ଟିକ ଫଟୋ ମଧ୍ୟ ଶେୟାର କରିଥିଲେ।

ଖବର ମୁତାବକ, ଖାସ୍‌ ବନ୍ଧୁ ଏବଂ ପରିବାର ବ୍ୟତୀତ ବାହାଘରକୁ ହିରାମଣ୍ଡିଙ୍କ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। କୁହାଯାଉଛି ଯେ, ବିବାହ ନିମନ୍ତ୍ରଣକୁ ମାଗାଜିନ୍‌ କଭର ପରି ଡିଜାଇନ୍ କରାଯାଇଛି, ଯେଉଁଥିରେ ଲେଖା ଅଛି – ‘ଗୁଜବଗୁଡ଼ିକ ସତ।’ ଅତିଥିମାନଙ୍କୁ ଫର୍ମାଲ ପୋଷାକ ପିନ୍ଧି ଆସିବାକୁ କୁହାଯାଇଛି ଏବଂ ମୁମ୍ବଇର ବେଷ୍ଟିୟନରେ ବିବାହ ଉତ୍ସବ ପାଳନ କରାଯିବ। ତେବେ ଏନେଇ ଅଭିନେତ୍ରୀଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ।