ଆସୁଛି କାଳବୈଶାଖୀ
ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ। ପ୍ରଥମେ ଦକ୍ଷିଣ ଓଡ଼ିଶା ସ୍ପର୍ଶ କରିବ। ପରବର୍ତ୍ତୀ ସମୟରେ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳକୁ ବିସ୍ତାରିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପୂର୍ବାନୁମାନ କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ଯେ ଆସନ୍ତା ୩ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ କାଳବୈଶାଖୀ ହୋଇପାରେ। ବିଜୁଳି, ଘଡ଼ଘଡ଼ି, ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ। ଦୁଇ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଜୁନ୍ ୮ରୁ ୧୦ ମଧ୍ୟରେ କେତେକ ସ୍ଥାନରେ ଦିନର ତାପମାତ୍ରା ବଢ଼ିବ। ବରଗଡ଼, ବଲାଙ୍ଗୀର, ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗରମ ସହ ଗୁଳୁଗୁଳି ଲାଗିରହିବ ବୋଲି ସେ ଆକଳନ କରିଛନ୍ତି।ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର(ସିଇସି) ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୧୦ ସୁଦ୍ଧା ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବ। ମହାରାଷ୍ଟ୍ର, ତେଲେଙ୍ଗାନା ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାକୁ ଜୁନ ୯ ଓ ୧୦ ସୁଦ୍ଧା ମୌସୁମୀ ଛୁଇଁବ। ଆରବ ସାଗରର ମୌସୁମୀ ପ୍ରବାହ ଅଧିକ ଶକ୍ତିଶାଳୀ ହେଉଥିବା ବେଳେ ଜୁନ ୧୫ଠାରୁ ବଙ୍ଗୋପସାଗର ଶାଖା ସୁଦୃଢ଼ ହୋଇ ଓଡ଼ିଶା ତଥା ପୂର୍ବ ଭାରତର ରାଜ୍ୟଗୁଡ଼ିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।