କାଲିଠାରୁ ଆରମ୍ଭ ହେଉଛି ଯୁକ୍ତ୨ ସିଟ୍‌ରେ ନାମଲେଖା

ଶୁକ୍ରବାରରୁ ଆରମ୍ଭ ହେଉଛି ୨୦୨୪-୨୫ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ(ଏକାଦଶ ଶ୍ରେଣୀ)ରେ ନାମଲେଖା ପ୍ରକ୍ରିୟା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଅଧୀନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ହେବ। ପୂର୍ବାହ୍ନ ୧୧ଟାରେ ସାମ୍‌ସ ପୋର୍ଟାଲ www.samsodisha.gov.in ରେ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଉପଲବ୍ଧ ହେବ। ଆଗ୍ରହୀ ଛାତ୍ରଛାତ୍ରୀ ଜୁଲାଇ ୬ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ ଏବଂ ଜୁଲାଇ ୧୮ ପୂର୍ବାହ୍ନ ୧୧ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୩ ମଧ୍ୟରେ ଅନୁଷ୍ଠିତ ହେବ।ଅଗଷ୍ଟ ୧ରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ୨ରୁ ୬ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରିପୋର୍ଟିଂ କରିବେ। ସ୍ପଟ୍‌ ନାମଲେଖା ପାଇଁ ଅଗଷ୍ଟ ୭ ଓ ୮ରେ ଛାତ୍ରଛାତ୍ରୀଙ୍କ ପାଇଁ ଚଏସ୍‌ ଲକିଂ ସୁବିଧା ଉପଲବ୍ଧ କରାଯିବ। ଅଗଷ୍ଟ ୧୪ରେ ସ୍ପଟ୍‌ ‌ସିଲେକ୍ସନ ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅଗଷ୍ଟ ୧୪ରୁ ୧୬ ମଧ୍ୟରେ ଅନୁଷ୍ଠିତ ହେବ। ତେବେ ନାମଲେଖା ପ୍ରକ୍ରିୟା ସରିବା ପୂର୍ବରୁ ଅଗଷ୍ଟ ୧ରୁ ଏକା‌ଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏଥର କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ନାମଲେଖା ଅନୁଷ୍ଠିତ ହେବ। ୨୦୨୪-୨୫ ଶିକ୍ଷାବର୍ଷରେ ରାଜ୍ୟର ୨୧୨୧ ଯୁକ୍ତ୨ କଲେଜର ୫ଲକ୍ଷ ୨୫ ହଜାର ୪୬୫ ସିଟ୍‌ରେ ନାମଲେଖା ହେବ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୯୪ ହଜାର ୮୪୦ ସିଟ୍‌ରେ ନାମଲେଖା ହେବାକୁ ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬୬ହଜାର ୯୨୯, ବାଣିଜ୍ୟରେ ୪୦ହଜାର ୧୦୪, ସଂସ୍କୃତରେ ୧୩ହଜାର ୮୮ ଓ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦ ହଜାର ୫୦୪ ସିଟ୍‌ରେ ନାମଲେଖା କରିବାକୁ ନିଷ୍ପତ୍ତି ନିଆଯାଇଛି।