ରାଫାହ ବର୍ବରରାଫାହ ବର୍ବରତା ବନ୍ଦ କର

ଗାଜା ସିଟିର ରାଫାହରେ ବୋମା ବର୍ଷଣ ଓ ରକେଟ ମାଡ଼ ତୁରନ୍ତ ବନ୍ଦ କରିବା ପାଇଁ ନେଦରଲାଣ୍ଡ୍ସର ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ ଶୁକ୍ରବାର ଇସ୍ରାଏଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ଦକ୍ଷିଣାଞ୍ଚଳ ବସତିରେ ଅସ୍ତ୍ରବିରତି ରୋକିବା ଉପରେ କିଛି କହି ନାହାନ୍ତି। ଇସ୍ରାଏଲ୍‌ ଏହି ରାୟକୁ ମାନି ନ ପାରେ। ତେବେ ଆଇସିଜେଙ୍କ ନିର୍ଦ୍ଦେଶ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଉପରେ ଅନ୍ତର୍ଜାତୀୟ ଚାପ ବୃଦ୍ଧି ପାଇପାରେ।
ଗତବର୍ଷ ଅକ୍ଟୋବର ୭ରେ ହମାସ୍‌ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ୧,୨୦୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ହମାସ୍‌ ଆତଙ୍କବାଦୀମାନେ ୨୫୦ରୁ ଅପହରଣ କରି ପଣବନ୍ଦୀ ରଖିଥିଲେ। ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଇସ୍ରାଏଲ ୭ ମାସ ଧରି ଆକ୍ରମଣ ଜାରି ରଖିଛି। ଏଥିରେ ୩୫,୦୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବାବେଳେ ଗାଜା ଜନସଂଖ୍ୟାର ୨.୩ ନିୟୁତ ଲୋକ ବିସ୍ଥାପିତ ହୋଇ ଅନ୍ୟତ୍ର ପଳାୟନ କଲେଣି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ରାଫାହର ଶରଣାର୍ଥୀ ଶିବିରଗୁଡ଼ିକରେ ଆଶ୍ରୟ ନେଇଛନ୍ତି। ପାଲେଷ୍ଟିନୀୟଙ୍କୁ ଜରୁରୀ ସହାୟତା ପ୍ରଦାନ ପାଇଁ ଜାତିସଂଘ ନେତୃତ୍ୱରେ ଚାଲିଥିବା ଅନ୍ତର୍ଜାତୀୟ ଉଦ୍ୟମରେ ଇସ୍ରାଏଲ ବାଧକ ସାଜିଛି। ଇସ୍ରାଏଲୀ ସେନା ଏବେ ବି ଉକ୍ତ ଅଞ୍ଚଳରେ ରକେଟ ମାଡ଼ କରୁଛି। ଦକ୍ଷିଣ ଆଫ୍ରିକା ଇସ୍ରାଏଲର ଏହି ସାମରିକ ବର୍ବରତାକୁ ନିନ୍ଦାକରି ଆଇସିଜେରେ ପିଟିଶନ ଦାଖଲ କରିଥିଲା। ସୋମବାର ପ୍ରସିକ୍ୟୁଟର୍ସ ଅଫିସ୍‌ ପକ୍ଷରୁ ନେତାନ୍ୟାହୁ, ତାଙ୍କ ପ୍ରତିରକ୍ଷା ମୁଖ୍ୟ ୟୋଆଭ୍‌ ଗାଲାଣ୍ଟ ଏବଂ ୩ ଜଣ ହମାସ୍‌ ନେତାଙ୍କ ବିରୋଧରେ ଯୁଦ୍ଧ ଅପରାଧ ଏବଂ ମାନବଜାତି ବିରୋଧରେ ଅପରାଧ ଘଟାଇବା ଅଭିଯୋଗରେ ଗିରଫ ପରଓ୍ବାନା ଜାରି କରାଯାଉ ବୋଲି ଆଇସିଜେରେ ଦାବି କରାଯାଇଥିଲା।