ଦାନାବାନ୍ଧୁଛି ବାତ୍ୟା
ମେ ମାସରେ ପୁଣିଥରେ ଓଡ଼ିଶାକୁ ଡରାଇଲାଣି ବାତ୍ୟା। ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ସହ ଅଧିକ ସକ୍ରିୟ ହେବ। ଏହା ଉତ୍ତର-ପୂର୍ବ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ତଥା ବାତ୍ୟାର ରୂପ ନେବାର ସମ୍ଭାବନା ସୃଷ୍ଟି ହୋଇଛି। ବିଶ୍ବର ବିଭିନ୍ନ ପାଣିପାଗ ମଡେଲ୍ ଏନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ତେବେ ଅଧିକାଂଶ ମଡେଲ୍ ଏହି ଗଭୀର ଅବପାତ/ବାତ୍ୟା ଓଡ଼ିଶା ଓ ଆନ୍ଧ୍ର ମୁହାଁ ହେବା ନେଇ ଆକଳନ କରିଛନ୍ତି। ଘୂର୍ଣ୍ଣିବଳୟ ଚିତ୍ର ସ୍ପଷ୍ଟ ହୋଇ ନଥିବାରୁ, ଏହା ସୃଷ୍ଟି ହେବା ପରେ ଯାଇ କେଉଁ ଦିଗରେ ଗତି କରିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ଆଇଏମ୍ଡି ଜିଏଫ୍ଏସ୍ ମଡେଲ ଅନୁସାରେ ୨୧ତାରିଖରେ ତାମିଲନାଡୁ ନିକଟରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୨୩/୨୪ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ରୂପନେବ। ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ-ମିଆଁମାର ମୁହାଁ ହେବ ବୋଲି ଆକଳନ କରାଯାଇଛି। ତେବେ ଜିଏଫଏସ(ଆମେରିକୀୟ ମଡେଲ) ଅନୁଯାୟୀ ୨୧ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି କରିବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପ ଏବଂ ୩୬ ଘଣ୍ଟା ପରେ ଅବପାତରେ ପରିଣତ ହୋଇପାରେ।