ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ
ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପ୍ରାଥମିକ ସ୍ତରରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରିବ। ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଏଭଳି ପୂର୍ବାନୁମାନ କରାଯାଇଥିଲେ ମଧ୍ୟ ଅବପାତର ଗତିପଥ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହେବା ନେଇ ଆକଳନ କରାଯାଇଛି। ପରବର୍ତ୍ତୀ ସମୟରେ ଏହାର ରୂପରେଖ କ’ଣ ରହିବ ସେନେଇ ଜଣାପଡ଼ି ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି। ଗୋଟିଏ ନିମ୍ନଚାପ ରେଖା ଦକ୍ଷିଣ ଛତିଶଗଡ଼ରୁ କର୍ଣ୍ଣାଟକ ପର୍ଯ୍ୟନ୍ତ ବ୍ୟାପିଥିବାରୁ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ୨୦ରୁ ୨୨ ତାରିଖ ମଧ୍ୟରେ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବ।