ଖଲ୍ଲିକୋଟ ହିଂସାକୁ ନେଇ ନିନ୍ଦା କଲେ ଧର୍ମେନ୍ଦ୍ର
ଖଲ୍ଲିକୋଟରେ ଅଭାବନୀୟ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ବିଜେପି କାର୍ଯ୍ୟକର୍ତ୍ତା ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ବିଜେଡି କର୍ମୀଙ୍କ ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର କହିଛନ୍ତି ଯେ ଖଲ୍ଲିକୋଟରେ ଅଭାବନୀୟ ପ୍ରାକ୍ ନିର୍ବାଚନୀ ହିଂସାରେ ଦଳର କାର୍ଯ୍ୟକର୍ତ୍ତା ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହେବା ଘଟଣାରେ ମୁଁ ଦୁଃଖିତ ଓ ମର୍ମାହତ । ଗଣତନ୍ତ୍ରରେ ହିଂସା ଓ ଅନ୍ୟାୟର କୌଣସି ସ୍ଥାନ ନାହିଁ । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ବିଜେଡି କର୍ମୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣକୁ ମୁଁ କଠୋରରୁ କଠୋର ଶବ୍ଦରେ ନିନ୍ଦା କରୁଛି । ଶାସକ ଦଳ ହାରିବା ଭୟରେ ହିଂସାକୁ ଅବଲମ୍ବନ କରିଛନ୍ତି । କାର୍ଯ୍ୟକର୍ତ୍ତାଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ଏହାର ଉଚିତ ଜବାବ ଲୋକମାନେ ବାଲଟ୍ ମାଧ୍ୟମରେ ଦେବେ । ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ତୁରନ୍ତ ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି ।
ଧର୍ମେନ୍ଦ୍ର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।