ରତ୍ନଭଣ୍ଡାରକୁ ନେଇ ରାଜନୌତିକ ଦଳ ମଧ୍ୟରେ ଟଣାଓଟରା, ସେପେଟ ଭଣ୍ଡାର ଖୋଲାଯାଇ ଗଣତି ମଣତି ହେବା ଦରକାର -ସେବାୟତଙ୍କ ଦାବି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଫୁଲବାଣୀରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଆକ୍ରମଣ କରିଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ଏହି ପ୍ରସଙ୍ଗକୁ ଆହୁରି ତେଜିଛନ୍ତି। ରାଜନୈତିକ ପ୍ରସଙ୍ଗ କରି ଦୁଇ ଦଳ ମଧ୍ୟରେ ଟଣାଓଟରା ବି ଆରମ୍ଭ ହୋଇଛି। ଏନେଇ ସେବାୟତମାନେ ମଧ୍ୟ ମୁହଁ ଖୋଲିଛନ୍ତି। ରତ୍ନଭଣ୍ଡାର ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ, ଏହା ଉପରୁ ଯଥାଶୀଘ୍ର ପରଦା ଉଠାଇବାକୁ ସେବାୟତମାନେ ଦାବି କରିଛନ୍ତି।ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଗଜପତି ଯେବେ ଶ୍ରୀମନ୍ଦିର ପ୍ରଶାସନକୁ ଶ୍ରୀମନ୍ଦିରର ଦାୟିତ୍ବ ଅର୍ପଣ କଲେ ସେତେବେଳେ ରତ୍ନଭଣ୍ଡାରର ରତ୍ନ ତାଲିକା ଦେଇଛନ୍ତି କି ନାହିଁ ସେ ସମ୍ପର୍କରେ ଗଜପତି ବି ମୁହଁ ଖୋଲିବା ଆବଶ୍ୟକ ରହିଛି। ଯେପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲାଯାଇନାହିଁ, ସେପର୍ଯ୍ୟନ୍ତ ରତ୍ନ ସୁରକ୍ଷିତ ଅଛି ବୋଲି କେମିତି କହିପାରିବା? ପ୍ରଶ୍ନ ହେଉଛି, ଯଦି ମନ୍ଦିର ପ୍ରଶାସନ ପାଖରେ ତାଲିକା ଅଛି, ତେବେ ତାଲିକା ଅନୁଯାୟୀ ରତ୍ନ ଅଳଙ୍କାର ମେଳ କରିବାରେ କ’ଣ ସମସ୍ୟା ଅଛି।? ଆମ ଘର ଚାବି ହଜିଗଲେ ବି ଘରର ତାଲା ଖୋଲା ଯାଇପାରୁଛି, ତେଣୁ ଚାବି ହଜିବା ଓ ଡୁପ୍ଲିକେଟ୍‌ ଚାବି ଅଛି ବୋଲି କହି ଏ ପ୍ରସଙ୍ଗକୁ ଝୁଲାଇ ରଖିବାର କୌଣସି ଅର୍ଥ ନାହିଁ। ଯେହେତୁ ରତ୍ନ ସଂରକ୍ଷିତ ଅଛି ନା ନାହିଁ, ଏହାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି, ତେଣୁ ପ୍ରତ୍ୟେକ ଭକ୍ତ ବି ରତ୍ନ ତାଲିକା ଜାଣିବାର ଅଧିକାର ରହିଛି। ଶ୍ରୀମନ୍ଦିର ପରିଚାଳନା କମିଟି ଏ ସମ୍ପର୍କରେ ଆଲୋଚନା କରି ସ୍ପଷ୍ଟ କରିବା ଦରକାର ବୋଲି ସେ କହିଛନ୍ତି। ଅନ୍ୟତମ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ନିଶ୍ଚିତ ରତ୍ନଭଣ୍ଡାର ଖୋଲାଯାଇ ଗଣତି ମଣତି ହେବା ଦରକାର। ଏହା ନହେଲେ ସମସ୍ତେ ସନ୍ଦେହ ଘେରକୁ ଆସିବେ ବୋଲି ସେ କହିଛନ୍ତି।