ବିଶ୍ବ ଭ୍ରମଣକାରୀ ପକ୍ଷୀ ଦିବସ

୧୯୯୯ ମହାବାତ୍ୟା ପରଠାରୁ ଭିନ୍ନ ଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ, ମଣିଷ ଦ୍ବାରା ପ୍ରକୃତିକ ସନ୍ତୁଳନକୁ ନଷ୍ଟ କରିବାର ପ୍ରୟାସ ଆଦି ଫଳରେ ଭ୍ରମଣକାରୀ ପକ୍ଷୀ ଓଡ଼ିଶା ମାଟିକୁ ଆଗପରି ଆସୁନଥିବା ଦେଖିବାକୁ ମିଳୁଛି। ହେଲେ ଏସବୁ ଭିତରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପକ୍ଷୀ ସାରଣୀର ତାରଜାଲି ତଳେ ୧୧ ପ୍ରଜାତିର ଭ୍ରମଣକାରୀ ପକ୍ଷୀଙ୍କ ବଂଶ ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି।ନନ୍ଦନକାନନ ପ୍ରାଣୀ ଉଦ୍ୟ‌ାନର ଏସ୍‌ଏଫ୍‌ ରଶ୍ମି ରଞ୍ଜନ ସ୍ବାଇଁଙ୍କ ସୂଚନା ମୁତାବକ, ଏଠାରେ ଭ୍ରମଣକାରୀ ପକ୍ଷୀଙ୍କ ଶାବକଙ୍କର ଏକ ସୁନ୍ଦର ସମାହାର ରହିଛି। ବର୍ତ୍ତମାନ ୨୭ଟି ଧୂସର ପେଲିକାନ (୨ ଅଣ୍ଡିରା, ୨ ମାଈ ଓ ୨୩ ଲିଙ୍ଗ ଚିହ୍ନଟ ହୋଇ ନଥିବା ଶାବକ), ୭ଟି ଗୋଲାପୀ ପେଲିକାନ (୨ ଅଣ୍ଡିରା, ୨ ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୩ଟି) ୧୩୨ଟି ଅନ୍ଧାରୀ ବଗ (ଅଣ୍ଡିରା ୩୩ , ମାଈ ୩୬ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୬୩) , ୮ଟି ଧୂସର ବଗ (ଅଣ୍ଡିରା ୨ ଓ ମାଈ ୬), ୫୩ଟି ଚିତ୍ରାଗେଣ୍ଡାଳିଆ (୪ ଅଣ୍ଡିରା, ୪ ମାଈ ଓ ୪୫ଟି ଲିଙ୍ଗ ଚିହ୍ନଟ ହୋଇ ନଥିବା), ୨ଟି ଲେସର୍‌ ଆଡ୍‌ଜୁଟାଣ୍ଟ୍‌ ଷ୍ଟକ, ‌୮ଟି ଲିଙ୍ଗ ଚିହ୍ନଟ ହୋଇ ନଥିବ‌ା ପାଣି ଉପରେ ଚାଲିବା ଛୋଟବଗ, ୬ଟି ଗାଇବା ବଗ (‌୧ମାଈ ଓ ଲିଙ୍ଗ ଚିହ୍ନଟ ହୋଇନଥିବା ୫), ୧୯୫ଟି ବିରଳ ବଙ୍କାଥଣ୍ଡିଆ ବଗ (୪୦ ଅଣ୍ଡିରା, ୭୧ ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୮୪)ଙ୍କୁ ମିଶାଇ ମୋଟ୍‌ ୪୪୦ଟି ଶାବକ ସେଠାରେ ଅଛନ୍ତି। ସେମାନେ ନନ୍ଦନକାନନ ପକ୍ଷୀ ଦୁନିଆର ଭବିଷ୍ୟତ।