ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ
ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା ସୃଷ୍ଟି କରୁଛନ୍ତି। ଏଭଳି କରି କେହି କେବେ ସଫଳ ହେବେନି। ଓଡ଼ିଶାବାସୀ ବିରୋଧୀଙ୍କ ଅସଲ ରୂପ ଜାଣିଛନ୍ତି। ଆପଣଙ୍କ ଆଶୀର୍ବାଦରେ ବିଜେଡି ବିପୁଳ ବିଜୟ ହାସଲ କରିବ। ବିଜୟ ଧାରା ଜାରି ରହିବ, ଲୋକ ସଭାରେ ବି ବହୁତ ଭଲ କରିବୁ। ୨୦୩୬ ସୁଦ୍ଧା ଓଡ଼ିଶା ଏକ ନମ୍ବର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ ରାଜ୍ୟରେ ବିଜେଡି ସରକାର ନାରୀ ସଶକ୍ତିକରଣକୁ ସାର୍ଥକ କରିଛି । ରାଜ୍ୟରେ ପାଖାପାଖି ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ କରି ପାଖାପାଖି ୭୦ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି । ସେମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପାଦ ଥାପିବାକୁ ବାଟ ଦେଖାଇଛି । ସେମାନଙ୍କୁ ନିଜର ଉଦ୍ୟୋଗ ଆରମ୍ଭ କରିବାକୁ ବିନା ସୁଧରେ ଲକ୍ଷାଧିକ ଋଣ ମଧ୍ୟ ଦେଇଛି ।
ଏହାସହ ରାଜ୍ୟର ଚାଷୀଙ୍କ ପାଇଁ ମଧ୍ୟ ବିନା ସୁଧରେ ଋଣ ଦେବାର ବ୍ୟବସ୍ଥା କରିଛି । ଖାଦ୍ୟ ଯୋଗାଣ କ୍ଷେତ୍ରରେ ପିଡିଏସ୍ ଯୋଗାଣକୁ ତ୍ୱରାନ୍ୱିତ କରିଛନ୍ତି ବିଜେଡି ସରକାର । ଏହାସହ ନିବେଶ କ୍ଷେତ୍ରରେ ଓଡିଆ ଆଗୁଆ ରାଜ୍ୟ ହୋଇପାରିଛି । ବିଏସକେୱାଇ ସ୍କିମ ଜରିଆରେ ଓଡିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ଆଗୁଆ ହୋଇଛି ।
୨୦୨୪ରୁ ୨୦୩୪ ପାଇଁ ରାଜ୍ୟର ଯୁବଶକ୍ତିଙ୍କ ପାଇଁ ବିଶେଷ ଯୋଜନା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ୧୦ ବର୍ଷରେ ଶିଳ୍ପ, ନିଯୁକ୍ତି ଓ ସ୍କିଲ ଡେଭଲପମେଣ୍ଟ ଜରିଆରେ ଯୁବବର୍ଗଙ୍କ ବିକାଶ ଉପରେ ଫୋକସ୍ କରାଯିବ । ୨୦୨୪ରୁ ୨୦୩୪ ଓଡିଶା ପାଇଁ ହେବ ସୁବର୍ଣ୍ଣ ଯୁଗ, ଏହି ୧୦ ବର୍ଷ ହେବ ‘ ଡିକେଡ୍ ଅଫ୍ ଓଡିଶା’ । ବିକାଶମୂଳକ କାମ ପାଇଁ ଓଡିଶା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିବ । ୨୦୩୬ରେ ଓଡିଶା ନମ୍ବର -୧ ସମୃଦ୍ଧ ଓ ସଶକ୍ତ ରାଜ୍ୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।