ବଦଳିଲା ଇପିଏଫ୍‌ଓ ନିୟମ

ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ ପରିବର୍ତ୍ତନ କରାଯାଇଛି। ଏହା ସହ ଚିକିତ୍ସା ପାଇଁ ପିଏଫ୍‌ରୁ ଟଙ୍କା ଉଠାଇବା ସହଜ ହୋଇଯାଇଛି। ବର୍ତ୍ତମାନ ଚିକିତ୍ସା ଆବଶ୍ୟକ ହେଲେ ହିତାଧିକାରୀମାନେ ସହଜରେ ଅଧିକ ଟଙ୍କା ଉଠାଇପାରିବେ।ଇପିଏଫ୍‌ଓର ଏହି ପରିବର୍ତ୍ତନ ଅନୁଚ୍ଛେଦ ୬୮ଜେ ଅନୁଯାୟୀ, ଅଟୋ କ୍ଲେମ୍‌ ପ୍ରୋସେସିଂ ପରିମାଣ ପ୍ରସଙ୍ଗରେ ଏକ ସର୍କୁଲାର ଜାରି କରିଛି। ସର୍କୁଲାରରେ କୁହାଯାଇଛି, ପୂର୍ବରୁ ଅନୁଚ୍ଛେଦ ୬୮ଜେ ଅନୁଯାୟୀ ପିଏଫ୍‌ରୁ ଟଙ୍କା ଉଠାଣ ୫୦ ହଜାର ଟଙ୍କାରେ ସୀମିତ ଥିଲା। ବର୍ତ୍ତମାନ ଏହାକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ବର୍ତ୍ତମାନ ଯଦି କୌଣସିି ଇପିଏଫ୍‌ଓ ଗ୍ରାହକ ଚିକିତ୍ସା ପାଇଁ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ଉଠାଣ ପାଇଁ ଆବେଦନ କରନ୍ତି, ତେବେ ଏହାର ପ୍ରକ୍ରିୟାକରଣ ଅଟୋ ମୋଡ୍‌ରେ କରାଯିବ। ପୂର୍ବରୁ ଅଟୋ ପ୍ରକ୍ରିୟାକରଣର ସୁବିଧା କେବଳ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୀମିତ ଥିଲା ।ବର୍ତ୍ତମାନ ଇପିଏଫ୍‌ଓ ଗ୍ରାହକମାନେ ଚିକିତ୍ସା ଆବଶ୍ୟକତା ପାଇଁ ସହଜରେ ଅଧିକ ଟଙ୍କା ଉଠାଇପାରିବେ ବୋଲି ଆଶା ରଖିଛନ୍ତି। ଇପିଏଫ୍‌ଓ ଘରୋଇ ବା ବେସରକାରୀ ଅନୁଷ୍ଠାନଗୁଡ଼ିକର କୋଟି କୋଟି କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ପାଣ୍ଠି ପରିଚାଳନା କରେ, ଯେଉଁଥିରେ ଇପିଏଫ୍‌ ଏବଂ ଇପିଏସ୍‌ ଆଦି ରହିଛି। ପିଏଫ୍‌ରେ ଜମା ରଖୁଥିବା ଗ୍ରାହକମାନେ ସେମାନଙ୍କ ବ୍ୟକ୍ତିଗତ ଆବଶ୍ୟକତା ସ୍ଥଳେ ଟଙ୍କା ଉଠାଇବା ସୁବିଧା ପାଆନ୍ତି। ଜଣେ କର୍ମଚାରୀ କୌଣସି କାରଣରୁ ହଠାତ୍‌ ରୋଜଗାର ହରାଇଲେ ଫର୍ମ -୧୯ ଅନୁଯାୟୀ ଆବେଦନ କରି ପିଏଫ୍‌ରୁ ଟଙ୍କା ଉଠାଇପାରିବେ। ଚାକିରି ଛାଡ଼ିବା ବ୍ୟତୀତ କର୍ମଚାରୀମାନେ ଘର କିଣିବା, ଘର ନିର୍ମାଣ, ଘର ମରାମତି, ବିବାହ, ପିଲାମାନଙ୍କର ଶିକ୍ଷା ଇତ୍ୟାଦି ଆବଶ୍ୟକତା ପାଇଁ ଏଥିରୁ ଟଙ୍କା ଉଠାଇବାର ସୁବିଧା ମଧ୍ୟ ପାଇଥା’ନ୍ତି ।