ଗୁଳୁଗୁଳି ସାଙ୍ଗକୁ ଜନଜୀବନକୁ ଅସ୍ତବ୍ୟସ୍ତ
ଭୁବନେଶ୍ବର: ସକାଳ ସାଢ଼େ ୮ଟା ବେଳେ ତାପମାତ୍ରା ଥିଲା ୩୩.୪ ଡିଗ୍ରି। ସାଢ଼େ ୧୧ଟା ବେଳକୁ ତାହା ୪୦.୬ ଡିଗ୍ରିରେ ପହଞ୍ଚିଥିଲା। ଅପରାହ୍ଣ ସାଢ଼େ ୨ଟା ବେଳକୁ ପାରଦ ୪୩.୬ ଡିଗ୍ରି ଛୁଇଁଥିଲା। ଅର୍ଥାତ୍ ୬ ଘଣ୍ଟା ମଧ୍ୟରେ ୧୦.୨ ଡିଗ୍ରି ବୃଦ୍ଧି ପାଇଥିଲା ଭୁବନେଶ୍ବର ସହରର ତାପମାତ୍ରା। କେବଳ ଯେ ତାପମାତ୍ରା ବଢ଼ିଥିଲା ତାହା ନୁହେଁ, ଗୁଳୁଗୁଳି ସାଙ୍ଗକୁ ଝାଞ୍ଜି ପବନ ମାଡ଼ ମଧ୍ୟ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା। ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା। ରାସ୍ତାରେ ଲୋକଙ୍କୁ କାଁ ଭାଁ ଦେଖିବାକୁ ମିଳୁଥିଲା। ତାତିର କୋପ ଏମିତି ଥିଲା ଯେ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଲୋକେ ତ୍ରାହିତ୍ରାହି ଡାକିଥିଲେ। କେବଳ ଭୁବନେଶ୍ବର ନୁହେଁ, ତାଳଚେର, ଅନୁଗୁଳ, ବାଲେଶ୍ବର, ଝାରସୁଗୁଡ଼ା, ହୀରାକୁଦ, ରାଉରକେଲା, ବାରିପଦା, ଟିଟିଲାଗଡ଼, ସମ୍ବଲପୁର, ଚାନ୍ଦବାଲି ପରି ସହରରେ ମଧ୍ୟ ସନ୍ଧ୍ୟା ଯାଏ ତାତି ହ୍ରାସ ପାଇ ନ ଥିଲା। ୪୩.୬ ଡିଗ୍ରି ସହ ଭୁବନେଶ୍ବର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା। ଏହା ତଳକୁ ୪୩.୫ ଡିଗ୍ରି ସହ ବୌଦ୍ଧ ଦ୍ବିତୀୟ ଓ ୪୩.୩ ଡିଗ୍ରି ସହ ଅନୁଗୁଳ ତୃତୀୟ ସ୍ଥାନରେ ରହିଥିଲା। ଝାରସୁଗୁଡ଼ାରେ ୪୨.୮, ବାରିପଦାରେ ୪୨.୬, ଖୋର୍ଦ୍ଧା, ଟିଟିଲାଗଡ଼ ଓ ମାଲକାନଗିରିରେ ୪୨.୫, ଜଗତ୍ସିଂହପୁରରେ ୪୨.୩, ନୂଆପଡ଼ା, ସମ୍ବଲପୁର, ବାଲେଶ୍ବର, ତାଳଚେର ତାପମାତ୍ରା ୪୨.୨, ଭବାନୀପାଟଣା, ବଲାଙ୍ଗୀର, ନୟାଗଡ଼ ଓ ଢେଙ୍କାନାଳରେ ଦିନର ତାପମାତ୍ରା ୪୨ ଡିଗ୍ରି ରେକର୍ଡ ହୋଇଥିଲା। ମୋଟ ୧୪ଟି ସହରରେ ଦିନର ତାପମାତ୍ରା ୪୨ ଡିଗ୍ରି କିମ୍ବା ଅଧିକ ଥିଲା। ଚଳିତ ସିଜିନ୍ରେ ସର୍ବାଧିକ ୩୨ଟି ସହରରେ ତାପମାତ୍ରା ଗୋଟିଏ ଦିନରେ ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଛି।