ଗୁଜରାଟର ଶୋଚନୀୟ ପରାଜୟ
ଗୁଜରାଟ ଟାଇଟନ୍ସ ଶୋଚନୀୟ ପରାଜୟ ବରଣ କରିଛି। ମାତ୍ର ୮୯ ରନ୍ରେ ଅଲଆଉଟ୍ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ୱିକେଟ୍ରେ ପରାସ୍ତ ହୋଇଛି। ୯୦ ରନ୍ର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ମାତ୍ର ୮.୫ ଓଭରରେ ୪ ୱିକେଟ୍ ହରାଇ ହାସଲ କରିବା ସହ ନିଜ ରନ୍ ରେଟ୍କୁ ବଢ଼ାଇଛି। ସେହିଭଳି ସପ୍ତମ ମ୍ୟାଚ୍ରୁ ଦିଲ୍ଲୀ ତୃତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ଗୁଜରାଟ ସେହି ୭ ମ୍ୟାଚ୍ରୁ ଚତୁର୍ଥ ପରାଜୟ ବରଣ କରିଛି। ପୂର୍ବରୁ ଗୁଜରାଟ ଟାଇଟନ୍ସ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନିଜର ସର୍ବନିମ୍ନ ଦଳଗତ ସ୍କୋର୍ କରିଥିଲା। ଗତବର୍ଷ କରିଥିବା ୧୨୫ରନ୍ର ଛୋଟିଆ ସ୍କୋର୍ଠୁ ଆହୁରି ଢେର ତଳକୁ ଖସି ବୁଧବାର ମାତ୍ର ୮୯ ରନ୍ରେ ଅଲଆଉଟ୍ ହୋଇଯାଇଛି। ସଂଯୋଗବଶତଃ ଉଭୟ ଥର ଦିଲ୍ଲୀ କ୍ୟାପିଟାଲ୍ସ ହିଁ ଏହି ଦଳକୁ ଏତେ କମ୍ ରନ୍ରେ ରୋକିଛି। ସବୁଠୁ ଦୁଃଖର କଥା ହେଲା ଘରୋଇ ପରିବେଶରେ ହିଁ ଦୁଇ ଥର ଯାକ ଗୁଜରାଟ ଏଭଳି ଶୋଚନୀୟ ବ୍ୟାଟିଂ କରି ସମାଲୋଚିତ ହୋଇଛି। ଚଳିତ ଋତୁରେ ମଧ୍ୟ କୌଣସି ଦଳ ପ୍ରଥମ ଥର ଲାଗି ୧୦୦ରୁ କମ୍ ରନ୍ କରିଛି।