୨ ଆସନରେ ପ୍ରାର୍ଥୀ ବଦଳାଇଲା ବିଜେପି , ରଣପୁରରେ ସୁରମା , ପଟାଙ୍ଗୀରେ ଚୈତନ୍ୟ ନନ୍ଦିବାଲୀଙ୍କୁ ଭରସିଲା ବିଜେପି ।
ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ପୂର୍ବରୁ ବିଜେପି ୧୧୨ ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବିଜେପି ଆଜି ଆଉ ୨୧ ଜଣଙ୍କ ନାଁ ଘୋଷଣା କରିଛି । ତେବେ ୨୧ଟି ଆସନ ମଧ୍ୟରୁ ୨ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେପି । ରଣପୁର ଓ ପଟାଙ୍ଗୀ ଆସନରେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରିଛି ।ପୂର୍ବରୁ ବିଜେପି ପକ୍ଷରୁ ୧୧୨ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ରଣପୁରରେ ତାପସ ରଞ୍ଜନ ମାର୍ଥାଙ୍କୁ ମୈଦାନକୁ ଓହ୍ଲାଇଥିଲା । ରଣପୁରରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ଆଶାୟୀ ଥିଲେ ମଧ୍ୟ ତାଙ୍କ ଟିକେଟ କାଟିଥିଲା ଦଳ । ଯାହାକୁ ନେଇ ତୃଣମୂଳସ୍ତରରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ସୁରମାଙ୍କ ଭଳି ଅନୁଭବୀ ନେତାଙ୍କ ବଦଳରେ ଅନ୍ୟ କିଏ ପ୍ରାର୍ଥୀ ହେଲେ ଦଳ ଆଶାନୁରୂପକ ପ୍ରଦର୍ଶନ କରିପାରିବନି କର୍ମୀ ମାନେ ସ୍ପଷ୍ଟ କରିଥିଲେ । ଯାହାଫଳରେ ପୁଣିଥରେ ରଣପୁର ଆସନକୁ ନେଇ ତର୍ଜମା କରିଥିଲା ଦଳ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସୁରମାଙ୍କ ଉପରେ ଭରସା କରିଛି ବିଜେପି ।