୩ ଜଣ ଆଇଏଏସ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ

୩ ଜଣ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀଙ୍କୁ ରାଜ୍ୟ ସରକାର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । ପାନୀୟ ଜଳ ଓ ପରିମଳ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଡାଇରେକ୍ଟର ତଥା ଅତିରିକ୍ତ ସଚିବ ବିନୀତ ଭରଦ୍ୱାଜଙ୍କୁ ଓଡ଼ିଶା ଜୀବିକା ଭୁବନେଶ୍ୱର, ଭୁବନେଶ୍ୱରର ରାଜ୍ୟ ମିଶନ ଡାଇରେକ୍ଟର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।ସେହିପରି ଓମଫେଡର ପରିଚାଳନା ନିର୍ଦ୍ଦେଶକ (ଏମଡି) ବିଜୟ ଅମୃତା କୁଲାଙ୍ଗେଙ୍କୁ ଶ୍ରମ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପାରୁଲ ପଟୱାରୀ ‘ମୋ ସ୍କୁଲ’ର ସଦସ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ସୂଚନା ଯୋଗ୍ୟ ଯେ, ଗତ ଜାନୁଆରୀ ୨୨ରେ ରାଜ୍ୟ ସରକାର ୧୭ ଜଣ ଜିଲ୍ଲାପାଳଙ୍କ ସମେତ ୩୭ ଜଣ ଆଇଏଏସ ଓ ଏପ୍ରିଲ ୫ରେ ୪ ଜଣ ଆଇଏଏସ ଅଧିକାରୀଙ୍କୁ ନୂଆ ସ୍ଥାନକୁ ଟ୍ରାନ୍ସଫର କରିଥିଲେ ।