ରୁଷ୍‌ର ପରମାଣୁ ଯୁଦ୍ଧ ନିରୋଧୀ ବାହିନୀ ପ୍ରସ୍ତୁତ,ଉତ୍ତେଜନା ବଢ଼ାଉଛି ରୁଷ୍‌ !

ukraine-issue missile

ମେଟ୍ରୋ ଟିଭି ଓଡିଶା (୨୮ .୨.୨୦୨୨) :

ୟୁକ୍ରେନ ଉପରେ ପରମାଣୁ ଆକ୍ରମଣର ଧମକ ଦେଇଛି ରୁଷ୍‌। ଏପରିକି ନିଜର ସେନା ମୁଖ୍ୟଙ୍କୁ ପରମାଣୁ ନିରୋଧୀ ବାହିନୀକୁ ପ୍ରସ୍ତୁତ ରଖିବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଧମକ ପରେ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି। ରୁଷ୍‌ର ପରମାଣୁ ଧମକ ପରେ ୟୁରୋପୀୟ ରାଷ୍ଟ୍ରସଂଘ ଅଧିକ କଠୋର ହୋଇଛି। ପ୍ରଥମ ଥର ପାଇଁ ୟୁକ୍ରେନ୍‌ ସପକ୍ଷରେ ସିଧାସଳଖ ସହାୟତାର ଅଣ୍ଟା ଭିଡିଛି। ୟୁରୋପୀୟ ରାଷ୍ଟ୍ରସଂଘ ୟୁକ୍ରେନ୍‌ ପାଇଁ ଅସ୍ତ୍ରଶସ୍ତ୍ର କିଣି ଯୋଗାଇବାକୁ ଘୋଷଣା କରିଛି। ଏପରିକି ଜର୍ମାନୀ, ଫ୍ରାନ୍ସ, ଫିନ୍‌ଲାଣ୍ଡ ଓ ସ୍ୱିଡେନ୍‌ ସମେତ ୧୯ଟି ୟୁରୋପୀୟ ରାଷ୍ଟ୍ର ରୁଷ୍ ପାଇଁ ସେମାନଙ୍କ ଆକାଶମାର୍ଗକୁ ବନ୍ଦ କରିଦେଇଛନ୍ତି। ଏହା ରୁଷ୍‌ ପାଇଁ ବଡ଼ ଝଟକା ବୋଲି କୁହାଯାଉଛି।


ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣ ରବିବାର ୫ମ ଦିନରେ ପହଞ୍ଚିଛି। ତେବେ ରୁଷ୍‌ ପାଇଁ ୟୁକ୍ରେନ ଦଖଲ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଫ୍ରାନ୍ସ, ଜର୍ମାନୀ, ଆମେରିକା ସମେତ ଏକାଧିକ ୟୁରୋପୀୟ ଏବଂ ନାଟୋ ସଦସ୍ୟ ରାଷ୍ଟ୍ର ପ୍ରତ୍ୟକ୍ଷ ଯୁଦ୍ଧକୁ ଓହ୍ଲାଇ ନଥିଲେ ମଧ୍ୟ ୟୁକ୍ରେନକୁ ବିପୁଳ ଅସ୍ତ୍ରଶସ୍ତ୍ର ଯୋଗାଇବା ପରେ ୟୁକ୍ରେନ ସୈନ୍ୟମାନେ ଦୃଢତାର ସହିତ ରୁଷ ସୈନ୍ୟଙ୍କର ମୁକାବିଲା କରୁଛନ୍ତି। ଏପରିକି ୟୁକ୍ରେନର ସାଧାରଣ ନାଗରିକ ମଧ୍ୟ ନିଜର ଦେଶକୁ ଶତ୍ରୁ କବଳରୁ ସୁରକ୍ଷା ଦେବାକୁ ଅସ୍ତ୍ର ଧରିଛନ୍ତି। ଏଭଳି ପରିସ୍ଥିତିରେ ରୁଷ ନିଜର ରଣକୌଶଳ ବଦଳାଇ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ଏଥିରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ଘଟୁଥିବା ପ୍ରତ୍ୟକ୍ଷଦର୍ଶୀ ସୂତ୍ରରୁ ଜଣାଯାଇଛି। ୟୁକ୍ରେନର ଶତାଧିକ ସାମରିକ ସ୍ଥଳ ସହ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ଉପରେ ରୁଷ୍‌ ବାଲିଷ୍ଟିକ ଓ କ୍ରୁଜ କ୍ଷେପଣାସ୍ତ୍ର ମାଡ କରିଥିବା କହିଛି।


ୟୁକ୍ରେନ୍‌କୁ ନାଟୋର ଯୁଦ୍ଧାସ୍ତ୍ର ସହାୟତାକୁ ଦେଖି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ପରମାଣୁ ନିରୋଧୀ ବାହିନୀକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନାଟୋ ରୁଷ୍‌ ବିରୋଧରେ ବଡ଼ ଧରଣର ଆକ୍ରମଣ କରିପାରେ ବୋଲି ରୁଷ୍‌ ଆଶଙ୍କା କରି ଏଭଳି ନିର୍ଦେଶ ଦେଇଥିବା କହିଛି। ମାତ୍ର ଏହାକୁ ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ ପକ୍ଷରୁ କଠୋର ସମାଲୋଚନା କରାଯାଇଛି। ଏହା ବିଶ୍ୱରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବ ବୋଲି ରୁଷ୍‌କୁ ସତର୍କ କରାଇଛି। ଏବେ ପରିସ୍ଥିତି ଏଭଳି ହୋଇଛି ଯେ, ବିଶ୍ୱରେ ପରମାଣୁ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ଏଥିସହିତ କିଭ୍‍ରେ ରୁଷ୍‌ ପକ୍ଷରୁ ରାସାୟନିକ ଆକ୍ରମଣ ଆଶଙ୍କା କରି ୟୁକ୍ରେନ୍‌ ସରକାର ସହରରେ ମେଟ୍ରୋ ଟ୍ରେନ ଚଳାଚଳକୁ ବନ୍ଦ କରିବା ସହିତ ସେଗୁଡିକୁ ଜନସାଧାରଣଙ୍କ ଅସ୍ଥାୟୀ ଆଶ୍ରୟସ୍ଥଳରେ ପରିଣତ କରିଛନ୍ତି। ଏପରିକି ସେମାନେ ଖୋଲା ରଖୁଥିବା କବାଟ, ଝରକା ଆଦିରେ ଓଦା କପଡ଼ା ଟାଙ୍ଗିବା, ମୁହଁରେ ଓଦା ମାସ୍କ ପିନ୍ଧିବା ଏବଂ ଯଥେଷ୍ଟ ତରଳ ପଦାର୍ଥ ପିଇବାକୁ କୁହାଯାଇଛି।


ଅନ୍ୟପକ୍ଷରେ ୟୁକ୍ରେନ ସୈନ୍ୟ ମଧ୍ୟ ପାଲଟା ଆକ୍ରମଣରେ ରୁଷର ଏକାଧିକ ଯୁଦ୍ଧ ବିମାନ, ହେଲିକପ୍ଟର ଓ ଟ୍ୟାଙ୍କ ଆଦି ଧ୍ୱଂସ କରିବା ସହ ୪ ହଜାରରୁ ଅଧିକ ରୁଷୀୟ ସୈନ୍ୟଙ୍କ ପ୍ରାଣହାନି ଘଟାଇଥିବା ଦାବି କରିଛନ୍ତି। ସେହିଭଳି ରୁଷ ଆକ୍ରମଣରେ ୟୁକ୍ରେନରେ ଏପର୍ଯ୍ୟନ୍ତ ପ୍ରାୟ ୩୦୦ଙ୍କର ମୃତ୍ୟୁ ଘଟିଥିବା ଏକ ସୂତ୍ରରୁ ଜଣାଯାଇଛି। ସେମାନଙ୍କ ମଧ୍ୟରେ ଅନେକ ସାଧାରଣ ନାଗରିକ ଏବଂ ଶିଶୁ ରହିଛନ୍ତି। ଏହାବାଦ୍‍ ଅନ୍ୟ ବହୁଲୋକ ଆହତ ହୋଇଛନ୍ତି। ଗତ ୪ ଦିନ ମଧ୍ୟରେ ୟୁକ୍ରେନରୁ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ପଡୋଶୀ ରାଷ୍ଟ୍ର ପୋଲାଣ୍ଡ, ରୋମାନିଆ ଓ ହଙ୍ଗେରୀକୁ ପଳାୟନ କରିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୧ ଲକ୍ଷ ୮୦ ହଜାର ପୋଲାଣ୍ଡକୁ ଚାଲିଯାଇଛନ୍ତି। ଏଥିସହିତ ମଲଡୋଭାରେ ପ୍ରାୟ ୮୦ ହଜାର ଶରଣ ନେଇଛନ୍ତି।


ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ତଥା ବ୍ୟବସାୟ କେନ୍ଦ୍ର ଖାର୍କିଭକୁ ୟୁକ୍ରେନ ସୈନ୍ୟ ପୁନଃ ନିଜ ଦଖଲକୁ ନେଇଥିବା ଦାବି କରିଛନ୍ତି। ରୁଷ ପକ୍ଷରୁ ଶନିବାର ରାତିରେ ଖାର୍କିଭର ଏକ ଗ୍ୟାସ ପାଇପଲାଇନ ଉପରେ ଆକ୍ରମଣ କରାଯିବା ଫଳରେ ତାହା ଧ୍ୱଂସ ପାଇଯାଇଛି। ଏଥିସହିତ ୟୁକ୍ରେନର ତୈଳ ମହଜୁଦ ସ୍ଥଳ ଉପରେ ମଧ୍ୟ ରୁଷ ପକ୍ଷରୁ ଆକ୍ରମଣ କରାଯାଇଥିବା ଖବର ମିଳିଛି। କିଭ୍‍ ମେୟର ସହରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିବା ସହିତ ଜନସାଧାରଣଙ୍କୁ ଘରୁ ନବାହାରିବାକୁ ସତର୍କ କରାଇ ଦେଇଛନ୍ତି। ବାହାରକୁ ବାହାରୁଥିବା ଲୋକ ଦେଶର ଶତ୍ରୁ ବୋଲି ବିବେଚନା କରାଯାଇ ତଦନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଚେତାବନୀ ଦେଇଛନ୍ତି। ଆମେରିକା ପକ୍ଷରୁ ରୁଷ ବିରୋଧରେ ଏକାଧିକ କଟକଣା ଲଗାଯିବା ପରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ପ୍ରତି ବିପଦ ସୃଷ୍ଟି ହୋଇଥିବା ରୁଷ ପକ୍ଷରୁ କୁହାଯାଇଛି। ରୁଷୀୟ ମହାକାଶ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଆମେରିକା ପଦକ୍ଷେପ ଜବାବରେ ରୁଷ ଯଦି ମହାକାଶ କାର୍ଯ୍ୟକ୍ରମରୁ ନିଜକୁ ପୃଥକ କରିନିଏ ତେବେ ଉକ୍ତ ମହାକାଶ କେନ୍ଦ୍ରର ଭବିଷ୍ୟତ ଅନିଶ୍ଚିତ ହୋଇପଡ଼ିବ।


ରୁଷ୍‌ ରାଷ୍ଟ୍ରପତି ପୁଟିନ ଦେଶର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ବୈଠକ ପରେ କହିଛନ୍ତି ଯେ ପାଶ୍ଚାତ୍ୟ ରାଷ୍ଟ୍ରସମୂହ ଏବଂ ନାଟୋ ସଦସ୍ୟ ରାଷ୍ଟ୍ର ଗୁଡିକ ରୁଷ ବିରୋଧରେ ଏକାଧିକ କଟକଣା ଲାଗୁ କରିବା ସହିତ ଧମକ ଦେବା ଆରମ୍ଭ କରିଥିବାରୁ ରୁଷକୁ ପରମାଣୁ ଯୁଦ୍ଧ ନିରୋଧୀ ବାହିନୀ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ହେବ। ଏ ସଂକ୍ରାନ୍ତରେ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏବଂ ସେନାଧ୍ୟକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି।
ବେଲାରୁଷ ପକ୍ଷରୁ ଉକ୍ତ ଦେଶରେ ରୁଷ ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନ୍‍ସ୍କି ପ୍ରଥମେ ଅଗ୍ରାହ୍ୟ କରିଥିଲେ। ବେଲାରୁଷରୁ ୟୁକ୍ରେନ ଉପରକୁ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଉଥିବାରୁ ଉକ୍ତ ସ୍ଥାନ ଆଲୋଚନା ପାଇଁ ଗ୍ରହଣୀୟ ନୁହେଁ ବୋଲି ଜେଲେନ୍‍ସ୍କି କହିବା ସହିତ ଏଥିପାଇଁ ୱାର୍ସୋ ଓ ବୁକାରେଷ୍ଟ ଭଳି ପାଞ୍ଚଟି ବିକଳ୍ପ ସ୍ଥାନରେ ଆଲୋଚନା ପ୍ରସ୍ତାବ ଦେଇଥିଲେ। ମାତ୍ର ପୁଟିନ୍ ପରମାଣୁ ନିରୋଧ ବାହିନୀକୁ ଜାଗତିଆର ରଖିବା ଲାଗି ନିଜ ସେନାମୁଖ୍ୟଙ୍କୁ ନିର୍ଦେଶ ଦେବା ପରେ ପୁଣିଥରେ ବେଲାରୁଷ୍‌ର ସୀମାରେ ଦୁଇପକ୍ଷର ପ୍ରତିନିଧି ମଣ୍ଡଳୀ ଆଲୋଚନା କରିଥିଲେ ମଧ୍ୟ ବିଳମ୍ବିତ ରାତିରେ ଏହା ବିଫଳ ହୋଇଛି।


ଅନ୍ୟପକ୍ଷରେ ୟୁକ୍ରେନ ସେନା ଖାର୍କିଭକୁ ପୁନର୍ବାର ନିଜ ଦଖଲକୁ ନେଇଥିବା ଦାବି କରିଛନ୍ତି। ଖାର୍କିଭ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଏବଂ ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର। ପୂର୍ବରୁ ଖାର୍କିଭ ସହରରେ ରୁଷ ସେନା ଟ୍ୟାଙ୍କ ସହିତ ପ୍ରବେଶ କରିଥିବାବେଳେ ୟୁକ୍ରେନ ସୈନ୍ୟମାନେ ସେମାନଙ୍କୁ ସେଠାରୁ ହଟାଇ ସହରକୁ ନିଜ ଦଖଲକୁ ନେଇଥିବା କହିଛନ୍ତି। ଏକ ସୂତ୍ର ଅନୁଯାୟୀ ରୁଷ ସେନା ସମ୍ପ୍ରତି ଖାର୍କିଭଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ରହିଛି ଓ ଏହାକୁ ଦଖଲ କରିବାକୁ କ୍ଷେପଣାସ୍ତ୍ର ମାଡ କରିଚାଲିଛି। ଅନ୍ୟପଟେ କିଭ୍‍ ଦଖଲ ପାଇଁ ରୁଷ ସେନା ପକ୍ଷରୁ ସହର ଉପରେ ଆକ୍ରମଣକୁ ଜୋରଦାର କରାଯାଇଛି। ଶନିବାର ରାତିରୁ ଲଗାତର କିଭ୍‍ ଉପରକୁ ବାଲିଷ୍ଟିକ ଓ କ୍ରୁଜ କ୍ଷେପଣାସ୍ତ୍ର ମାଡ କରାଯାଉଛି। ଏଥିରେ କିଭ୍‍ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ସହରର ମେୟର କିଭ୍‍ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଫ୍ୟୁ ଜାରି କରିଛନ୍ତି। ଏହାଦ୍ୱାରା ନିରୀହ ଲୋକଙ୍କର ଜୀବନହାନିକୁ ହ୍ରାସ କରାଯିବା ସହିତ ଶତ୍ରୁପକ୍ଷର ମୁକାବିଲା କରିବା ସହଜ ହେବ ବୋଲି କୁହାଯାଇଛି। ପ୍ରତିମୁହୂର୍ତ୍ତରେ ଲୋକ ୟୁକ୍ରେନ ଛାଡୁଥିବାବେଳେ ପୋଲାଣ୍ଡ ସୀମାନ୍ତରେ ଭୀଷଣ ଭିଡ ସୃଷ୍ଟି ହୋଇଛି। ସେଠାରେ ଯାନବାହନ ଚଳାଚଳ ଦୂର କଥା, ଚାଲି ଚାଲି ଯିବା ମଧ୍ୟ ସମ୍ଭବ ହେଉନାହିଁ।


ରୁଷ ବିରୋଧରେ ଆମେରିକା କଟକଣା ଜାରି କରିବା ପରେ ମହାକାଶରେ ଥିବା ୫୦୦ଟନ୍‌ ଓଜନ ବିଶିଷ୍ଟ ଓ ଏକ ବଡ଼ ଷ୍ଟାଡ଼ିୟମ ଆକୃତିର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ୍‍) ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି କେନ୍ଦ୍ରକୁ ଉଭୟ ଆମେରିକା ଓ ରୁଷ୍‌ ଚଳାଉଛନ୍ତି। ରୁଷ ମହାକାଶ ସଂସ୍ଥାର ମୁଖ୍ୟ ଦିମିତ୍ରି ରୋଗୋଜିନ୍‍ କହିଛନ୍ତି, ଆମେରିକା ପଦକ୍ଷେପର ଜବାବ ଦେବାକୁ ଯାଇ ରୁଷ ଯଦି ଏହାକୁ ଗଳାଇ ଦିଏ ତେବେ ତାହା ବଡ ବିପଦ ସୃଷ୍ଟି କରିବ ଏବଂ ସେଥିପାଇଁ ଆମେରିକା ଦାୟୀ ରହିବ। ତେବେ ଉକ୍ତ କେନ୍ଦ୍ର ଆମେରିକା, ୟୁରୋପୀୟ ସଂଘର କୌଣସି ରାଷ୍ଟ୍ର ଉପରେ ଖସିବା ଆଶଙ୍କା ପ୍ରକାଶ ପାଇଛି। ଏପରିକି ତାହା ଭାରତ କିମ୍ବା ଚୀନ ଉପରେ ମଧ୍ୟ ଖସିପାରେ ବୋଲି ଦିମିତ୍ରି ସତର୍କ କରାଇ ଦେଇଛନ୍ତି। ଏହି ସୂଚନା ପରେ ପୁଟିନ ମହାକାଶ କେନ୍ଦ୍ର ନିର୍ମାଣ ସ୍ଥଳଗୁଡ଼ିକ ତଦାରଖ କରିବା ପରେ ଏ ନେଇ ଆଶଙ୍କା ବଢ଼ିଛି। ଏଭଳି ପରିସ୍ଥିତିରେ ଶାନ୍ତି ଫେରାଇ ଆଣିବାକୁ ୟୁକ୍ରେନ ଓ ରୁଷ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ସେ ଏ ସମ୍ପର୍କରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଟେଲିଫୋନ କରିଥିବା କ୍ରେମଲିନ ପକ୍ଷରୁ କୁହାଯାଇଛି।