ପ୍ରଥମ ଥର ଅଲିମ୍ପିକ୍ସରେ ଆର୍ଥିକ ପୁରସ୍କାର
ଅଲିମ୍ପିକ୍ସରେ ଦୌଡ଼କୁଦ ପ୍ରଥମ ବିଭାଗ ଭାବେ ଏହାର ପଦକ ବିଜେତାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିବ। ପ୍ୟାରିସ୍ରେ କେବଳ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ପ୍ରତ୍ୟେକ ୫୦ହଜାର ଡଲାର (ପ୍ରାୟ ୪୧ଲକ୍ଷ ୬୦ହଜାର ଟଙ୍କା) ଲେଖାଏଁ ପୁରସ୍କାର ପାଇବାକୁ ଥିବା ବେଳେ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରୁ ରୌପ୍ୟ ଓ କାଂସ୍ୟ ପଦକ ବିଜେତାମାନେ ମଧ୍ୟ ଅର୍ଥ ପୁରସ୍କାର ପାଇପାରିବେ ବୋଲି ବିଶ୍ବ ଦୌଡ଼କୁଦ ମହାସଂଘର ସଭାପତି ସେବାଷ୍ଟିଆନ୍ କୋଏ ଘୋଷଣା କରିଛନ୍ତି। ସେବାଷ୍ଟିଆନ୍ଙ୍କ ଅନୁସାରେ, ଏହି ଯୋଜନା ୨୦୧୫ଠାରୁ ଆରମ୍ଭ ହୋଇଛି। ଅଲିମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ପାଇଁ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି ସମସ୍ତ ଅର୍ଥ ବିଶ୍ବ ଦୌଡ଼କୁଦ ମହାସଂଘକୁ ପ୍ରଦାନ କରିଆସୁଛି। ଏହି ଅର୍ଥରୁ ପ୍ୟାରିସ୍ ଅଲିମ୍ପିକ୍ସରେ ୪୮ ଦୌଡ଼କୁଦ ଇଭେଣ୍ଟରେ ୨.୪ ମିଲିଅନ୍ ଡଲାର ବା ପାଖାପାଖି ୨୧ କୋଟି ଟଙ୍କା ପୁରସ୍କାର ବାବଦକୁ ପ୍ରଦାନ କରାଯିବ। ରିଲେ ଦଳ ୪୨ ଲକ୍ଷ ଟଙ୍କାକୁ ନିଜନିଜ ମଧ୍ୟରେ ବାଣ୍ଟିକରି ନେବେ ବୋଲି ସେବାଷ୍ଟିଆନ୍ କହିଛନ୍ତି। ବର୍ତ୍ତମାନର ଆଧୁନିକ ଅଲିମ୍ପିକକୁ ପୂର୍ବରୁ ଏକ ସୌଖୀନ କ୍ରୀଡ଼ା ଭାବେ ଖେଳାଯାଉଥିଲା। ଯେଉଁଥିରେ କୌଣସି ପଦକ ବିଜେତାଙ୍କୁ ଆର୍ଥିକ ପୁରସ୍କାର ଦିଆଯାଉ ନଥିଲା। କେବଳ ପଦକଧାରୀଙ୍କୁ ସେମାନଙ୍କ ଦେଶର ସରକାର କିମ୍ବା ଜାତୀୟ ସଂଘ ଆର୍ଥିକ ପୁରସ୍କାର ଦେଉଥିଲେ।