ରୟାଲ୍‌କୁ ହରାଇଲା ରୟାଲ୍ସ

ବିରାଟ କୋହଲିଙ୍କ ଶତକକୁ ଫିକା କରିଦେଇଛନ୍ତି ଇଂଲିସ ବ୍ୟାଟର ଜୋସ୍‌ ବଟଲର୍‌। ଆର୍‌ସିବି ପକ୍ଷରୁ ଦିଆଯାଇଥିବା ୧୮୪ ରନ୍‌ର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ ୫ ବଲ୍‌ ପୂର୍ବରୁ ମ୍ୟାଚ୍‌ ଜିତିନେଇଛି। ବଟଲର୍‌ ଛକା ମାରି ଶତକ ଅର୍ଜନ କରିବା ସହ ଦଳକୁ ଜିତାଇଛନ୍ତି। ଫଳରେ ରାଜସ୍ଥାନ ଲଗାତାର ୪ ମ୍ୟାଚ୍‌ ଜିତି ୮ ପଏଣ୍ଟ ସହ ଟେବୁଲ ଶୀର୍ଷକୁ ଉଠିଛି। ଆର୍‌ସିବି ହ୍ୟାଟ୍ରିକ୍‌ ପରାଜୟ ପାଇ ଅଷ୍ଟମ ସ୍ଥାନରେ ସଂଘର୍ଷ ଜାରି ରଖିଛି। ପଶ୍ଚାତ୍‌ଧାବନ ବେଳେ ଯଶସ୍ବୀ ଜୟସ୍ବାଲ୍‌ ପାଳିର ଦ୍ବିତୀୟ ବଲ୍‌ରେ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଯାଇଥିଲେ। ଚତୁର୍ଥ ଓଭର‌ର ଦ୍ବିତୀୟ ବଲ୍‌ରେ ଖରାପ ଲୟରେ ଗତି କରୁଥିବା ବଟଲର୍‌ଙ୍କୁ ଏକ ଜୀବନଦାନ ମିଳିଥିଲା। ୬ ରନ୍‌ରେ ବ୍ୟାଟିଂ କରୁଥିଲା ବେଳେ ସିରାଜଙ୍କୁ କଭର୍‌ ଉପରେ ବଡ ସଟ୍‌ ଖେଳିଥିଲେ ବଟଲର୍‌। କିନ୍ତୁ ବ୍ୟାଟ୍‌ରେ ଟାଇମିଂ ନହେବାରୁ ବଲ୍‌ ଦୂରକୁ ଯାଇନଥିଲା। କାମେରନ୍‌ ଗ୍ରିନ୍‌ କ୍ୟାଚ୍‌ ପାଇଁ ଯାଇଥିଲେ ମଧ୍ୟ ହାତରୁ ଖସାଇ ଦେଇଥିଲେ। ଏହା ଦଳକୁ ମହଙ୍ଗା ସାବ୍ୟସ୍ତ ହେବା ସହ ବଟଲର୍‌ଙ୍କ ସହିତ ସଞ୍ଜୁ ସାମସନ ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ଉଭୟ ଦ୍ବିତୀୟ ୱିକେଟ୍‌ରେ ୧୪୮ ରନ୍‌ ‌ଭାଗୀଦାରି ଗଢ଼ିଥିଲେ। ସଞ୍ଜୁ ଆଉଟ୍ ହେବା ପରେ ପଛକୁ ପଛ ରିୟାନ ପରାଗ (୪) ଓ ଧ୍ରୁବ ଜୁରେଲ (୨) ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। କିନ୍ତୁ ବଟଲର୍‌ ଗୋଟିଏ ପଟରୁ ଭାର ନିଜ କାନ୍ଧରେ ନେବା ସହ ଦଳକୁ ଚତୁର୍ଥ ବିଜୟ ଭେଟି ଦେଇଥିଲେ।