ଆଜିଠୁ ଆଇପିଏଲ ଆରମ୍ଭ

କିଛି ଘଣ୍ଟା ପରେ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍‌ର ବହୁଚର୍ଚ୍ଚିତ ମହୋତ୍ସବ। ଚେନ୍ନାଇରେ ବାଜିବ ବିଶ୍ବର ସବୁଠାରୁ ଧନୀ ଓ ଲୋକପ୍ରିୟ କ୍ରିକେଟ୍ ଲିଗ୍ ‘ଆଇପିଏଲ୍‌’ର ସପ୍ତଦଶ ସଂସ୍କରଣ ବିଗୁଲ। ମ୍ୟାଚ୍ ୮ଟାରୁ ଆରମ୍ଭ ହେବ। ହେଲେ ସଂଧ୍ୟା ସାଢ଼େ ୬ଟାରୁ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍ ସୁପରଷ୍ଟାର୍ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍ ଧମାଲ କରିବେ। ରଙ୍ଗାରଙ୍ଗ ପରିବେଶ ଭିତରେ ପ୍ରଥମ ଲଢ଼େଇରେ ମୁହାଁମୁହିଁ ହେବେ ଗତବର୍ଷ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଓ ନୂଆ ନାଁରେ ଖେଳିବାକୁ ଯାଉଥିବା ଆର୍‌ସିବି (ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ)। ଲିଗ୍‌ର ସଫଳତମ ଓ କେବେବି ଟ୍ରଫି ଜିତି ନପାରିବାର ଅପଯଶ ବହନ କରିଆସୁଥିବା ଦଳ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲାକୁ ନେଇ ସମଗ୍ର କ୍ରି‌କେଟ୍ ଦୁନିଆ ଉଲ୍ଲସିତ। ‘କ୍ୟାପ୍‌ଟେନ୍ କୁଲ୍’ ମହେନ୍ଦ୍ର ସିଂହ ଧୋନିଙ୍କ ଇସ୍ତଫା ପରେ ଯୁବ ତାରକା ଋତୁରାଜ ଗାଏକ୍ବାଡ ଏହି ମ୍ୟାଚ୍‌ରେ ସିଏସ୍‌କେର ନେତୃତ୍ବ ନେବେ। ତା’ ସହ ଏକ ନୂଆ ଯୁଗର ଅବସାନ ଘଟିବ। ଅନ୍ୟପକ୍ଷରେ ଆର୍‌ସିବିର ନେତୃତ୍ବ ଦାୟିତ୍ବ ଦକ୍ଷିଣ ଆଫ୍ରିକୀୟ ଫାଫ୍ ଡୁ’ପ୍ଲେସିସ୍ ତୁଲାଇବେ। ଧୋନିଙ୍କ ସହ ଭାରତୀୟ କ୍ରିକେଟର୍‌ ଅନ୍ୟତମ ମହାନ ତାରକା ବିରାଟ କୋହଲି ଏହି ମ୍ୟାଚ୍‌ରେ ପରସ୍ପର ବିପକ୍ଷରେ ଅଣଅଧିନାୟକ ଭାବେ ଖେଳିବେ।