ଶୀଘ୍ର ଆର୍ସିବି ଶିବିରରେ ଯୋଗଦେବେ ବିରାଟ
ବିରାଟ କୋହଲି ଆଇପିଏଲ-୨୦୨୪ରେ ଖେଳିବେ କି ନାହିଁ ତାହାକୁ ନେଇ ପ୍ରଶଂସକଙ୍କ ମନରେ ସଂଶୟ ସୃଷ୍ଟି ହୋଇଥିଲା।ଏବେ ସେ ଖୁବଶୀଘ୍ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶିବିରରେ ଯୋଗଦେବେ। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ବିରାଟ ପ୍ରାୟ ଦୁଇମାସ ହେବ ବିରତିରେ ଥିଲେ। ଏହି କାରଣରୁ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିନଥିଲେ। ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ଗତ ମାସରେ ଦ୍ବିତୀୟ୍ ସନ୍ତାନର ମା ହୋଇଥିଲେ। ଏଥିପାଇଁ ବିରାଟ ସାମୟିକ ବିରତି ନେବା ସହିତ ଲଣ୍ଡନରେ ଥିଲେ। ରବିବାର କୋହଲି ଭାରତ ଫେରିଛନ୍ତି। ଖୁବଶୀଘ୍ର ଆରସିବି ଶିବିରରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଆରସିବିର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ବିରାଟଙ୍କ ବାଦ୍ ଅନ୍ୟ ସମସ୍ତ ଖେଳାଳି ଏଥିରେ ଯୋଗ ଦେଇଛନ୍ଥି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏକ କାର୍ଯ୍ୟକ୍ରମ ୧୯ରେ ବାଙ୍ଗାଲୋରରେ ଆୟୋଜିତ ହେବାର ଅଛି। ଏଥିରେ ଦଳର ସମସ୍ତ ଖେଳାଳି, ଅଫିସିଆଲ, ପ୍ରଶିକ୍ଷକ ଯୋଗ ଦେବେ। ଏଥିରେ ବିରାଟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଇପିଏଲ-୧୭ ଚଳିତ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି। ଆସନ୍ତା ଜୁନରେ ଆମେରିକା ଓ ୱେଷ୍ଟଇଣ୍ଡିଜ୍ରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ ପୂର୍ବରୁ ଆଇପିଏଲ ଭାରତୀୟ ଖେଳାଳିମାନଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। କାରଣ ଉକ୍ତ ପ୍ରଦର୍ଶନ ବଳରେ ଖେଳାଳିମାନଙ୍କୁ ବିଶ୍ବକପ ଦଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ଟ୍ବେଣ୍ଟି୨୦ ବିଶ୍ବକପ ଦଳରୁ ବିରାଟଙ୍କୁ ବାଦ୍ ଦେବା ନେଇ ମଧ୍ୟ ଆଲୋଚନା ହେଉଉଛି। ଏଭଳି ସ୍ଥଳେ ବିରାଟ ମଧ୍ୟ ଆଇପିଏଲରେ ଭଲ ବ୍ୟାଟିଂ କରି ବିଶ୍ବକପ ପୂର୍ବରୁ ନିଜକୁ ପ୍ରସ୍ତୁତ କରିବାକୁ ଚାହଁିବେ। ଆଇପିଏଲରେ କୋହଲି ୧୧୭ଟି ମ୍ୟାଚ ଖେଳି ଗୋଟିଏ ଶତକ ଓ ୩୭ଟି ଅର୍ଦ୍ଧଶତକ ସହ ୪୦୩୭ରନ କରିଛନ୍ତି।