ପରମାଣୁ ଧମକ ଦେଲେ ପୁଟିନ

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପାଶ୍ଚାତ୍ୟ ଦେଶକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଆମେରିକା ତା’ର ରେଡ୍ ଲାଇନ୍ ଅତିକ୍ରମ କରି ୟୁକ୍ରେନକୁ ସୈନ୍ୟ ପଠାଇବ ତେବେ ରୁଷ୍ ପରମାଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି। ଚଳିତ ସପ୍ତାହରେ ନିର୍ବାଚନର କିଛି ଦିନ ପୂର୍ବରୁ ସରକାରୀ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ପୁଟିନ୍ କହିଥିଲେ ଯେ ସେ ୟୁକ୍ରେନରେ ପରମାଣୁ ଅସ୍ତ୍ର ବ୍ୟବହାରର କୌଣସି ଆବଶ୍ୟକତା ଅନୁଭବ କରନ୍ତି ନାହିଁ। ତେବେ ଏକ ଟିଭି ଚାନେଲ ଓ ନ୍ୟୁଜ୍ ଏଜେନ୍ସି ଦ୍ବାରା ରୁଷ୍ ପରମାଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ କି ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ୭୧ ବର୍ଷୀୟ ପୁଟିନ୍ କହିଛନ୍ତି, ସାମରିକ ଓ ବୈଷୟିକ ଦୃଷ୍ଟିକୋଣରୁ ଆମେ ନିଶ୍ଚିତ ଭାବେ ପ୍ରସ୍ତୁତ ଅଛୁ। ଆଉ ୬ ବର୍ଷ କ୍ଷମତାରେ ରହିବାର ସମ୍ଭାବନା ଥିବା ପୁଟିନ୍ କହିଛନ୍ତି ଯେ ଆମେରିକା ବୁଝିଛି ଯେ ଯଦି ସେମାନେ ୟୁକ୍ରେନ୍‌ରେ ବା ରୁଷୀୟ ଅଞ୍ଚଳରେ ଆମେରିକୀୟ ସୈନ୍ୟ ମୁତୟନ କରନ୍ତି, ତେବେ ଆମେ ଏହି ପଦକ୍ଷେପକୁ ହସ୍ତକ୍ଷେପ ଭାବରେ ଗ୍ରହଣ କରିବୁ। .. ମୁଁ ଭାବୁନାହିଁ ଯେ ଏଠାରେ ସବୁକିଛି ଏହା (ପରମାଣୁ ଯୁଦ୍ଧ) ଆଡ଼କୁ ଗତି କରୁଛି, କିନ୍ତୁ ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ ବୋଲି ପୁଟିନ୍ କହିଛନ୍ତି।