ସୁପ୍ରିମ୍କୋର୍ଟରେ ଓଡ଼ିଆ ଝିଅ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧନା
ସୁପ୍ରିମ୍କୋର୍ଟରେ କାର୍ଯ୍ୟରତ ଓଡ଼ିଆ ରାନ୍ଧୁଣିଆଙ୍କ ଝିଅ ପ୍ରଜ୍ଞା ସାମଲଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼। ନିକଟରେ ପ୍ରଜ୍ଞା ଆମେରିକାର ଦୁଇଟି ବିଶ୍ବବିଦ୍ୟାଳୟରେ ଆଇନରେ ସ୍ନାତକୋତ୍ତର ଶିକ୍ଷା ପାଇଁ ସ୍କଲାର୍ସିପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଜ୍ଞାଙ୍କ ପିତା ଅଜୟ କୁମାର ସାମଲ ସୁପ୍ରିମ୍କୋର୍ଟର ରାନ୍ଧୁଣିଆ ରୂପେ କାର୍ଯ୍ୟ କରନ୍ତି। କେବଳ ପ୍ରଧାନବିଚାରପତି ନୁହନ୍ତି, ସୁପ୍ରମ୍କୋର୍ଟର ସମସ୍ତ ବିଚାରପତି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଜ୍ଞାଙ୍କ ସଫଳତା ପାଇଁ ପ୍ରଜ୍ଞା ତଥା ତାଙ୍କର ମାତାପିତାଙ୍କୁ ମଧ୍ୟ ସମର୍ଦ୍ଧନା ଜଣାଇଥିଲେ। ପ୍ରଧାନବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ ପ୍ରଜ୍ଞାଙ୍କ ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଏହି ଅବସରରେ ପ୍ରଧାନବିଚାରପତି ପ୍ରଜ୍ଞାଙ୍କୁ ନିଜ ଦସ୍ତଖତରେ ଗୋଟିଏ ପୁସ୍ତକ ପ୍ରଦାନ କରିଥିଲେ। ପୁସ୍ତକକୁ ଗ୍ରହଣ କରି ଏହା ତାଙ୍କ ପାଇଁ ସୌଭାଗ୍ୟ ଓ ସମ୍ମାନ ବୋଲି ପ୍ରଜ୍ଞା ବିନମ୍ରତାର ସହ କହିଛନ୍ତି।