୧୭% ବଢ଼ିବ ବ୍ୟାଙ୍କ କର୍ମଚାରୀଙ୍କ ଦରମା
ବ୍ୟାଙ୍କ ଅଫିସର ଓ କର୍ମଚାରୀମାନଙ୍କର ବାର୍ଷିକ ବେତନରେ ୧୭ ପ୍ରତିଶତ ବୃଦ୍ଧି ହେବ। ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ (ଆଇବିଏ) ଏବଂ ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକ ମଧ୍ୟରେ ଆଜି ଏ ନେଇ ସହମତି ପ୍ରକାଶ ପାଇଛି। ଏହାଦ୍ବାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ବାର୍ଷିକ ପ୍ରାୟ ୮୨୮୪ କୋଟି ଟଙ୍କାର ଅଧିକ ଅର୍ଥ ବ୍ୟୟ କରିବାକୁ ହେବ। ୨୦୨୨ ନଭେମ୍ବରରୁ ଏହା କାର୍ଯ୍ୟକାରୀ ହେବ। ପ୍ରାୟ ୮ ଲକ୍ଷ ବ୍ୟାଙ୍କ କର୍ମଚାରୀ ଏହି ବେତନ ବୃଦ୍ଧି ଫଳରେ ଉପକୃତ ହେବେ। ଏହାବ୍ୟତୀତ ସବୁ ଶନିବାର ବ୍ୟାଙ୍କ ଛୁଟି ଘୋଷଣା ସଂପର୍କିତ ନିଷ୍ପତ୍ତି ସରକାରଙ୍କ ନିକଟରେ ପଡ଼ି ରହିଛି। ଏ ନେଇ ସରକାର ବିଜ୍ଞପ୍ତି ପ୍ରକାଶ କରିବା ପରେ ସଂଶୋଧିତ କାର୍ଯ୍ୟ ସମୟ ଲାଗୁ ହେବ ବୋଲି ସୂଚନା ଦିଆଯାଇଛି। ୮୦୮୮ ପଏଣ୍ଟର ମହଙ୍ଗାଭତ୍ତାକୁ ମିଶ୍ରଣ ପରେ ନୂଆ ପେ ସ୍କେଲ୍ ଧାର୍ଯ୍ୟ କରାଯାଇଛି। ସମସ୍ତ ମହିଳା କର୍ମଚାରୀମାନେ ମେଡିକାଲ ସାର୍ଟିଫିକେଟ୍ ନଦେଇ ପ୍ରତିମାସରେ ଦିନଟିଏ ସିକ୍ ଲିଭ୍ ନେଇ ପାରିବେ।