ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ସନ୍ଥକବି ଭୀମ ଭୋଇଙ୍କ  କବିତା ଆବୃତ୍ତି କରିଥିଲେ। ମହାମହିମା ଶ୍ରୀମ ମୁର୍ମୁ କହିଥିଲେ, ସନ୍ଥକବି ଭୀମ ଭୋଇଙ୍କ ବାଣୀ ମୋ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ଯେଉଁଦିନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲି, ସେହିଦିନ ମଧ୍ୟ ମୁଁ ସନ୍ଥକବିଙ୍କୁ ମନେ ପକାଇଥିଲି। ଭୀମ ଭୋଇ ସାଧାରଣ ପରିବାରରେ ଜନ୍ମ ନେଇଥିଲେ ବି ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀ ଥିଲେ। ଗୁରୁଙ୍କ କୃପାରୁ ସେ ଦିବ୍ୟଜ୍ୟୋତି ପ୍ରାପ୍ତ ହୋଇପାରିଥିଲେ। କୁହାଯାଇଥାଏ ସେ ଜନ୍ମାନ୍ଧ ଥିଲେ। ଭୀମ ଭୋଇଙ୍କ ବାହ୍ୟ ଦୃଷ୍ଟି ସିନା ନଥିଲା। କିନ୍ତୁ ଅନ୍ତଦୃଷ୍ଟି ଥିଲା ପ୍ରଖର। ଏହି ଅନ୍ତଃ ଦୃଷ୍ଟି ବଳରେ ସେ ସବୁ ଦେଖିପାରୁଥିଲେ। ସେ ରଚନା କରିପାରିଥିଲେ ବହୁ କବିତା ଓ ଗ୍ରନ୍ଥ। ତାଙ୍କ ଦ୍ବାରା ରଚିତ କବିତା ଓ ଗ୍ରନ୍ଥ ‌ସ୍କୁଲ ଓ କଲେଜଗୁଡ଼ିକର ପାଠ୍ୟଖସଡ଼ାରେ ସାମିଲ କରାଯାଇଛି। ଗସ୍ତଶେଷ କରି ରାଷ୍ଟ୍ରପତି ଦିଲ୍ଲୀ ଫେରିଯାଇଛନ୍ତି ।