ଇସ୍ରାଏଲ-ହମାସ୍ ଯୁଦ୍ଧ ଜାରି
ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଆକ୍ରମଣରେ ୯୦ ଜଣ ପାଲେଷ୍ଟିନୀୟ ନିହତ ହୋଇଥିବା ବେଳେ ୧୬୪ ଜଣ ଆହତ ହୋଇଛନ୍ତି। ଏହା ଭିତରେ ଅନେକ ନିରୀହ ପାଲେଷ୍ଟିନୀୟଙ୍କ ଜୀବନ ବି ପେଷିହୋଇ ଯାଉଛି। ଗତ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଅଦ୍ୟାବଧି ଅତିକମ୍ରେ ୨୯,୭୮୨ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଛି ଏବଂ ୭୦,୦୪୩ ଜଣ ଆହତ ହୋଇଛନ୍ତି ବୋଲି ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୋମବାର ଏକ ବିବୃତିରେ କହିଛି। ଗାଜାରେ ମୃତ୍ୟୁ ସଂଖ୍ୟା ଚଳିତ ସପ୍ତାହରେ ୩୦,୦୦୦ର ମାଇଲଖୁଣ୍ଟ ଅତିକ୍ରମ କରିବା ସମ୍ଭାବନା ରହିଛି, କାରଣ ଅସ୍ତ୍ରବିରତି ଓ ବନ୍ଧକମୁକ୍ତି ପାଇଁ କେହି କାହାର ସର୍ତ୍ତ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଇସ୍ରାଏଲ ରାଫା ଉପରେ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି।ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର ବିଳମ୍ବିତ ରାତିରେ ଯୁଦ୍ଧ କ୍ୟାବିନେଟ୍ ଡକାଇଥିଲେ। ଆନୁମାନିକ ୧୫ ଲକ୍ଷ ବିସ୍ଥାପିତ ପାଲେଷ୍ଟିନୀୟ ଆଶ୍ରୟ ନେଇଥିବା ଦକ୍ଷିଣ ସୀମାନ୍ତ ସହର ରାଫା ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ନେଇ ଚଳିତ ସପ୍ତାହରେ ପୁଣି ଥରେ ବୈଠକ ବସିବ। ନେତାନ୍ୟାହୁ କହିଛନ୍ତି ଯେ ଏହି ଅପରେସନରେ ସାମାନ୍ୟ ବିଳମ୍ବ ଘଟିପାରେ, କିନ୍ତୁ ଏହାକୁ କୌଣସି ଚୁକ୍ତି ରୋକିପାରିବ ନାହିଁ।