ବଦଳିଲା ଡିଜେଲ୍‌ ରପ୍ତାନି ସମୀକରଣ

ଆରବ ସାଗର ଓ ଲୋହିତ ସାଗରରେ ଯାତାୟତ କରୁଥିବା ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ହୁତି ବିଦ୍ରୋହୀମାନେ ଗତ କିଛିମାସ ହେଲା ଆକ୍ରମଣ ଜାରି ରଖିଛନ୍ତି। ଏଥିଯୋଗୁ ଜାହାଜରେ ଭାରତରୁ ୟୁରୋପକୁ ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ ଜନିତ ଖର୍ଚ୍ଚ ବଢ଼ିଯାଇଛି। ଏହି କାରଣରୁ ୟୁରୋପ ପରିବର୍ତ୍ତେ ଏସିଆର ବିଭିନ୍ନ ଦେଶକୁ ଭାରତରୁ ଅଧିକ ମାତ୍ରାରେ ଡିଜେଲ ରପ୍ତାନି ହେଉଛି। ୨୦୨୨ ମସିହାଠାରୁ ଭାରତରୁ ୟୁରୋପକୁ ଡିଜେଲ ରପ୍ତାନିର ସ୍ଥିତିକୁ ଦେଖିଲେ ଏହା ଚଳିତମାସରେ ସର୍ବନିମ୍ନ ସ୍ତରକୁ ଖସିଆସିଛି। ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ କାରଣରୁ ବୀମା ଓ ମାଲ ପରିବହନ ଖର୍ଚ୍ଚ ବହୁ ଅଧିକ ହୋଇଯାଇଛି। ଏଥିସହିତ ଏସିଆର କେତେକ ଦେଶରେ ଯୋଜନାହୀନ ଭାବେ ବିଶୋଧନାଗାରଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉଛି। ଫଳରେ ସେସବୁ ଦେଶରେ ତୈଳ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି।ଏଥିଯୋଗୁ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଭାରତ ଡିଜେଲ ରପ୍ତାନି କରିବା ପରିବର୍ତ୍ତେ ଏସିଆର ବିଭିନ୍ନ ଦେଶକୁ କରୁଛି। ସୂଚନା ଅନୁଯାୟୀ, ଫେବ୍ରୁଆରି ମାସର ପ୍ରଥମ ଦୁଇ ସପ୍ତାହରେ ଭାରତରୁ ୟୁରୋପରେ ଦୈନିକ ମାତ୍ର ୧୮ ହଜାର ବ୍ୟାରେଲ ଡିଜେଲ ପହଞ୍ଚିଛି। ଜାନୁଆରି ମାସରେ ଦୈନିକ ପହଞ୍ଚୁଥିବା ହାରାହାରି ଡିଜେଲ ତୁଳନାରେ ଏହା ୯୦ ପ୍ରତିଶତ କମ୍‌ ବୋଲି ଏକ ତଥ୍ୟରୁ ଜଣାଯାଇଛି। ପାଶ୍ଚାତ୍ୟ ଦେଶଗୁଡ଼ିକୁ ତୈଳ ପଠାଇବା ଖର୍ଚ୍ଚ ଅଧିକ ରହିବା ଏହାର ଏକ କାରଣ ବୋଲି ଜେମ୍‌ସ ନୋଏଲ-ବେସୱିକ୍‌ ନାମକ ଜଣେ ବିଶେଷଜ୍ଞ କହିଛନ୍ତି। ତାଙ୍କ ମତରେ ପାଶ୍ଚାତ୍ୟ ଦେଶ ତୁଳନାରେ ସିଙ୍ଗାପୁର ଅଞ୍ଚଳକୁ ରପ୍ତାନି କରିବା ଆର୍ଥିକ ଦୃଷ୍ଟିରୁ ଲାଭଜନକ ସାବ୍ୟସ୍ତ ହୋଇଛି।