ସଚିନଙ୍କ ପଛରେ ସଚିନ

ମାଷ୍ଟର୍‌ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ବହୁତ ବଡ଼ ପ୍ରଶଂସକ ଥିବାରୁ ବାପା ଶ୍ରଦ୍ଧାରେ ତାଙ୍କ ନା ରଖିଥିଲେ ‘ସଚିନ’। ସେହି କୁନି ସଚିନ ଆଜି ବଡ଼ ହୋଇଛି। ତେନ୍ଦୁଲକରଙ୍କ ପଦାଙ୍କ ଅନୁସରଣ କରି କ୍ରିକେଟ୍ ପିଚ୍‌ରେ କମାଲ କରୁଛି। ଡାହାଣ ହାତୀ ବ୍ୟାଟିଂ ସହ ତେନ୍ଦୁଲକରଙ୍କ ଭଳି ଡାହାଣହାତୀ ସ୍ପିନ୍ ବୋଲିଂ କରୁଛନ୍ତି। ଆମେ କହୁଛୁ ଭାରତୀୟ ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳର ପ୍ରତିଭାବାନ ଫିନିସର୍ ସଚିନ ଢାସ୍‌ଙ୍କ କଥା। ୫ ଫୁଟ ୯ ଇଞ୍ଚ ଉଚ୍ଚତା ବିଶିଷ୍ଟ ୧୮ ବର୍ଷୀୟ ଢାସ୍‌ଙ୍କ ମା’ ଚାହୁଥିଲେ ପୁଅ ବଡ଼ ଅଫିସର ହେଉ। ହେଲେ ବାପା ଚାହୁଥିଲେ ସେ ଜଣେ କ୍ରିକେଟର୍ ହୁଅନ୍ତୁ। ଶେଷରେ ବାପାଙ୍କ କଥା ହିଁ ରହିଲା। ଢାସ୍‌ କୁନି ବୟସରୁ କ୍ରିକେଟ୍ ଖେଳିଲେ। ସଫଳତା ପରେ ସଫଳତା ପାଇ ଭାରତୀୟ ୧୯ ବର୍ଷରୁ କମ୍ ଦଳର ଜଣେ ନିୟମିତ ସଦସ୍ୟ ହୋଇଥିଲେ। ଦକ୍ଷିଣ ଆଫ୍ରିକାରେ ଆୟୋଜିତ ୧୯ ବର୍ଷରୁ କମ୍ ବିଶ୍ବକପ୍‌ରେ ମଧ୍ୟ ନିଜ ଯାଦୁ ଦେଖାଇଥିଲେ। ଏହି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଭାରତ ସଙ୍କଟରେ ପଡ଼ିଥିଲା ବେଳେ ୯୬ ରନ୍‌ର ଅବିଶ୍ବସନୀୟ ପାଳି ଖେଳି ଚର୍ଚ୍ଚାକୁ ଆସିଥିଲେ ମହାରାଷ୍ଟ୍ର ବିଡ୍ ସହରର ଏହି କିଶୋର କ୍ରିକେଟର୍।