ଲୋକଙ୍କ ଖୁସି ହିଁ ମୋର ସବୁଠୁ ବଡ଼ ପୁରସ୍କାର: ମୁଖ୍ୟମନ୍ତ୍ରୀ

ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ୧୦ହଜାର ସିକିମ ରୟତ ଚାଷୀଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ୨୬ଟି ଜିଲ୍ଲାର ୨ଲକ୍ଷ ୫୦ହଜାର ସିକିମ ରୟତ ଏବଂ ତାଙ୍କ ଉତ୍ତରାଧିକାରୀ ଉପକୃତ ହେବେ। ଆଗାମୀ ଦିନରେ ସମସ୍ତଙ୍କୁ ଜମି ପଟ୍ଟା ମିଳିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନସାଧାରଣଙ୍କ ସମସ୍ୟାର ସମାଧାନ ଉପରେ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେଇ ଆସିଛି। ସିକିମ ରୟତମାନଙ୍କର ବହୁ ଦିନର ସମସ୍ୟା ଥିଲା। ଜମି ଉପରେ ସେମାନଙ୍କ ଅଧିକାର ନଥିବାରୁ ସେମାନଙ୍କର ଆର୍ଥିକ ଓ ସାମାଜିକ ଜୀବନ ପ୍ରଭାବିତ ହେଉଥିଲା। ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ଲାଭ ପାଇପାରୁନଥିଲେ। ଏବେ ସେହି ସମସ୍ୟାର ସମାଧାନ ହୋଇଛି। ଲୋକଙ୍କର ଖୁସି ହିଁ ମୋର ସବୁଠାରୁ ବଡ଼ ପୁରସ୍କାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ଲୋକଙ୍କ ସେବା ପାଇଁ, ଲୋକଙ୍କୁ ସଶକ୍ତ କରିବା ପାଇଁ ଆଇନ ରହିଛି। ଲୋକଙ୍କ ହିତ ପାଇଁ ଆଇନକୁ ମଧ୍ୟ ସଂଶୋଧନ କରାଯିବ ବୋଲି ପାଣ୍ଡିଆନ କହିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଗତସିଂହପୁରରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, କଟକରେ ବିଧାୟକ ପ୍ରତାପ କୁମାର ଜେନା, ବାଲେଶ୍ୱରରେ ବିଧାୟକ ସ୍ୱରୂପ ଦାସ, ଖୋର୍ଦ୍ଧାରେ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଗଞ୍ଜାମରେ ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ପୁରୀରେ ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପ୍ରମୁଖ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ଉପସ୍ଥିତ ରହି ସିକିମ ରୟତ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସିକିମ ରୟତ ପଟ୍ଟା ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉପସ୍ଥିତ ଥି‌ଲେ। ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇଥିଲେ।