ଆଜି ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଯିବେ । ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ସହ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ୫୯ଟି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବା ସହ ୨୧ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜିଲ୍ଲାର ସବୁଜ ବିପ୍ଲବ ଆଣିବ ବୋଲି ଆଶା କରାଯାଉଛି । ସେହିପରି ୧୦୬ କୋଟି ୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ ପଶ୍ଚିମ ଓଡିଶାର କର୍କଟ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବ ।ଭୁବନେଶ୍ୱରରୁ ହେଲିକ୍ୟାପ୍ଟର ଯୋଗେ ବାହାରି ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୫୦ ମିନିଟରେ ସେ ବିଜେପୁର ବ୍ଲକ କନାପାଳି ଠାରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ଏହାପରେ କନାପାଲି ପମ୍ପ ହାଉସ ପରିଦର୍ଶନ କରି ଆୟୋଜିତ ସଭାରେ ସାମିଲ ହେବେ । ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫ ମହଲା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ଗସ୍ତ ଅବସରରେ ୨୨କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହ ନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ଉଦଘାଟନ କରିବେ । ଏହାଛଡା ମୁଖ୍ୟମନ୍ତ୍ରୀ ୩୪୨ କୋଟି ୬୯ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ୫୯ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ । ସେହିପରି ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୨୧ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ନବୀନ ପଟ୍ଟନାୟକ ।