ଭାରତ ରୁଷୀୟ ତୈଳ ଖରିଦ କରିବା ସପକ୍ଷ
ପାଶ୍ଚାତ୍ୟ ଦେଶ ସବୁ କଟକଣା ଜାରି କରିବା ସତ୍ତ୍ବେ ଭାରତ ରୁଷୀୟ ତୈଳ ଖରିଦ କରିବା ସପକ୍ଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଦୃଢ଼ ଯୁକ୍ତି ଦର୍ଶାଇ ଯେଉଁ ଉତ୍ତର ଦେଲେ ତାହା ଶୁଣି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ହସି ପକାଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।ଶନିବାର ଦିନ ମ୍ୟୁନିକ୍ ସିକ୍ୟୁରିଟି କନ୍ଫରେନ୍ସ୍ରେ ପ୍ରତିନିଧିସ୍ତରୀୟ ଆଲୋଚନା ଚାଲୁଥିବା ବେଳେ ଭାରତ କିଭଳି ଯୁକ୍ତରାଷ୍ଟ୍ର ଆମେରିକା ସହିତ ସମ୍ପର୍କ ବୃଦ୍ଧି ଓ ରୁଷ୍ ସହିତ ବାଣିଜ୍ୟ କରିବା ମଧ୍ୟରେ ଭାରସାମ୍ୟ ରଖିଛି ବୋଲି ଜୟଶଙ୍କରଙ୍କୁ ପଚରାଯାଇଥିଲା।ଜୟଶଙ୍କର କହିଲେ, ଏଇଟା କ’ଣ ସମସ୍ୟା, ଏଇଟା କାହିଁକି ସମସ୍ୟା ହେବ? ମୁଁ ଯଦି ଦକ୍ଷତାର ସହିତ ଏକାଧିକ ବିକଳ୍ପ ରଖିପାରିଲି, ଆପଣ ମୋତେ ପ୍ରଶଂସା କରିବା ଉଚିତ।ଜୟଶଙ୍କରଙ୍କ ଉତ୍ତର ଶୁଣି ପ୍ରତିନିଧି ଦଳରରେ ଥିବା ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଓ ଜର୍ମାନ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆନ୍ନାଲେନା ବେୟରବକ୍ ହସି ପକାଇଥିଲେ।ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଆହୁରି ମଧ୍ୟ କହିଲେ ଯେ, ଆଜିର ପରସ୍ପର ସହିତ ବିଜଡ଼ିତ ବିଶ୍ବରେ ଦେଶ ସବୁ ଗୋଟିଏ ଆଡ଼େ ସମ୍ପର୍କ ରଖିବା କଥା ଆଶା କରିବା ଅବାସ୍ତବ।