ଯଶସ୍ବୀ ଜୟସ୍ବାଲଙ୍କ ଶତକ :ଭାରତର ରାଜକୋଟ ଟେଷ୍ଟ୍ରେ ସ୍ଥିତି ଦୃଢ଼
ଯଶସ୍ବୀ ଜୟସ୍ବାଲଙ୍କ ଶତକ ସହିତ ଭାରତ ଚଳିତ ରାଜକୋଟ ଟେଷ୍ଟ୍ରେ ସ୍ଥିତି ଦୃଢ଼ କରି ନେଇଛି। ତୃତୀୟ ଦିନ ଶେଷ ସୁଦ୍ଧା ଭାରତ (୧୯୬/୨) ହାତରେ ୮ ୱିକେଟ୍ ଥାଇ ୩୨୨ ରନ୍ର ଅଗ୍ରଣୀ ନେଇ ସାରିଛି। ପରିବାରରେ ଜରୁରୀ ସ୍ବାସ୍ଥ୍ୟ ପରିସ୍ଥିତି କାରଣରୁ ଆର୍ ଅଶ୍ବିନ୍ ଏହି ଟେଷ୍ଟ୍ରୁ ଓହରିଯାଇଥିବା ବେଳେ ଭାରତ ଜଣେ ସ୍ପେଶାଲିଷ୍ଟ୍ ବୋଲରଙ୍କ ବିନା ବୋଲିଂ କରିଥିଲା। କିନ୍ତୁ ପେସ୍ ଓ ସ୍ପିନ୍ ବାହିନୀ ମିଳିତ ଭାବେ ୫-୫ ୱିକେଟ୍ ଦଖଲ କରିନେବାରୁ ଭାରତ ପ୍ରଥମ ପାଳିରେ ଅପ୍ରତ୍ୟାଶିତ ଭାବେ ୧୨୬ ରନ୍ ଅଗ୍ରଣୀ ପାଇଯାଇଥିଲା। ଭାରତ ଦ୍ବିତୀୟ ପାଳି ସତର୍କତାର ସହ ଆରମ୍ଭ କରିଥିଲା। ରୋହିତ ଶର୍ମା (୧୯)ଙ୍କୁ ଡିଆର୍ଏସ୍ ସହାୟତାରେ ଜୋ ରୁଟ୍ ଏଲବିଡବ୍ଲ୍ୟୁ କରି ଦେଇଥିଲେ। କିନ୍ତୁ ଯଶସ୍ବୀ ଜୟସ୍ବାଲଙ୍କ ଲଗାତାର ଟେଷ୍ଟ୍ ଶତକ ଭାରତକୁ ଡ୍ରାଇଭର ସିଟ୍ରେ ବସାଇ ଦେଇଛି। ବିଶାଖାପାଟଣାରେ ଦ୍ବିଶତକ ହାସଲ କରିଥିବା ଜୟସ୍ବାଲ ଶନିବାର ଭିନ୍ନ ଅନ୍ଦାଜରେ ଖେଳିଥିଲେ। ପ୍ରଥମ ଚୌକା ପାଇଁ ସେ ଖେଳିଥିଲେ ୪୯ ବଲ୍। କିନ୍ତୁ ଏହା ପରେ ମଧ୍ୟ ସେ ରକ୍ଷଣାତ୍ମକ ବ୍ୟାଟିଂ କରି ୭୩ ବଲ୍ରୁ ୩୫ ରନ୍ କରିଥିଲେ। ହଠାତ୍ ଗିୟର ବଦଳାଇ ଦେଇଥିଲେ। ସବୁଠାରୁ ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ୍ଙ୍କ ଗୋଟିଏ ଓଭରର ଶେଷ ୩ ବଲ୍କୁ ୬, ୪, ୪ ମାରି ସେ ଦ୍ରୁତ ବେଗରେ ଶତକ ମୁହାଁ ହୋଇଯାଇଥିଲେ। ମାର୍କ ଉଡ୍ଙ୍କୁ ଚୌକା ମାରି ମାତ୍ର ୧୨୨ ବଲ୍ରୁ ୧୦୦ ରନ୍ ପୂର୍ଣ୍ଣ କରିଥିଲେ। ପ୍ରଥମ ୫୦ ରନ୍ ପାଇଁ ଏହି ଯୁବ ବାମହାତୀ ତାରକା ୮୦ ବଲ୍ ଖେଳିଥିବାବେଳେ ଦ୍ବିତୀୟ ୫୦ ପାଇଁ ମାତ୍ର ୪୨ ବଲ୍ର ସହାୟତା ନେଇଥିଲେ। ଏହା ପରେ ମାଂଶପେଶୀ ଟାଣି ହୋଇଯିବାରୁ ଜୟସ୍ବାଲ (୧୦୪, ୧୩୩ ବଲ୍, ୯ ଚୌକା, ୫ ଛକା) ରିଟାୟାର୍ଡ ହର୍ଟ ହୋଇ ଫେରିଯାଇଥିଲେ। ସେତେବେଳେକୁ ଗିଲ୍ (୬୫*, ୧୨୦ ବଲ୍)ଙ୍କ ସହ ୧୫୫ ରନ୍ ଭାଗୀଦାରି କରି ସାରିଥିଲେ। ଏହି ସମୟରେ ଆସିଥିବା ରଜତ ପଟିଦାର (୦) ଖାତା ଖୋଲିବା ପୂର୍ବରୁ ହାର୍ଟଲିଙ୍କ ଶିକାର ହୋଇଥିଲେ। ଶନିବାରର ଖେଳ ଅବସରରେ ମହମ୍ମଦ ସିରାଜ ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୫୦ ୱିକେଟ୍ ଅତିକ୍ରମ କରିଥିବାବେଳେ ରବୀନ୍ଦ୍ର ଜାଡ଼େଜା ୨୦୦ତମ ଟେଷ୍ଟ୍ ୱିକେଟ୍ ପୂର୍ଣ୍ଣ କରିଛନ୍ତି।