ଇଂଲଣ୍ଡର ସ୍କୋର ୨୦୭/୨, ଭାରତ ଠାରୁ ୨୩୮ ରନ୍ ପଛରେ
ରାଜକୋଟ: ଗୁଜରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ୩ୟ ଟେଷ୍ଟର ଦ୍ବିତୀୟ ଦିନ ଶୁକ୍ରବାର ଖେଳ ଶେଷସୁଦ୍ଧା ଇଂଲଣ୍ଡ ୨ ୱିକେଟ ହରାଇ ୨୦୭ ରନ୍ ସଂଗ୍ରହ କରିଛି। ଫଳରେ ଅତିଥି ଟିମ୍ ଘରୋଇ ଟିମ୍ ଠାରୁ ୨୩୮ ରନ୍ ପଛରେ ରହିଛି। ଇଂଲଣ୍ଡର ପାଳି ଆରମ୍ଭ କରିଥିଲେ ଜାକ୍ କ୍ରାଉଲି ଓ ବେନ୍ ଡକେଟ୍। ବ୍ୟକ୍ତିଗତ ଭାବେ କ୍ରାଉଲି ୧୫ ରନ୍ କରି ଆଉଟ୍ ହୋଇଥିଲେ। ଓଲି ପୋପ୍ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୯ ରନ୍ କରିଥିଲେ। ଆଜିର ଖେଳ ଶେଷ ସୁଦ୍ଧା ବେନ୍ ଡକେଟ୍ ୧୩୩ ରନ୍ ଓ ଜୋଏ ରୁଟ୍ ୯ ରନ୍ ସହିତ ଅପରାଜିତ ଅଛନ୍ତି। ରବଚିନ୍ଦ୍ରନ ଅଶ୍ୱିନ ଆଜି ଐତିହାସିକ ରେକର୍ଡ ହାସଲ କରିଥିଲେ। ସେ ଭାରତର ଦ୍ରୁତତମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ ହାସଲ କରିଥିଲେ। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଜ୍ୟାକ କ୍ରାଉଲିଙ୍କୁ ଆଉଟ କରି ଅଶ୍ୱିନ ନିଜ ନାଁକୁ ୫୦୦ ୱିକେଟ କ୍ଲବରେ ସାମିଲ କରିଥିଲେ।
ପ୍ରଥମ ଦିନ ଗୁରୁବାର ଭାରତ ୫ ଓ୍ବିକେଟରେ ୩୨୬ ରନ କରି ନିଜର ସ୍ଥିତି ସୁଦୃଢ କରିଥିଲା। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ଅଲରାଉଣ୍ଡ ରବୀନ୍ଦ୍ର ଜାଡ଼େଜାଙ୍କ ବ୍ୟାଟରୁ ଦୁଇଟି ଆକର୍ଷଣୀୟ ଶତକ ଦେଖିବାକୁ ମିଳିଥିଲା। ଭାରତୀୟ ଟିମ୍ ପ୍ରଥମ ପାଳିରେ ସମସ୍ତ ୱିକେଟ୍ ହରାଇ ୪୪୫ ରନ୍ କରିଥିଲା।
ପ୍ରଥମ ଇନିଂସରେ ଭାରତ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ରୋହିତ ଶର୍ମା। ସେ ୧୩୧ ରନ୍ କରିଥିଲେ। ସେହିପରି ରବୀନ୍ଦ୍ର ଜାଡେଜାଙ୍କ ୧୧୨ ରନ୍ ଏବଂ ସର୍ଫରାଜଙ୍କ ୬୨ ରନ୍ ବଳରେ ଦଳ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୩୨୬ ରନ୍ କରିଥିଲା। ରୋହିତ ଶର୍ମା ୧୩୧ ରନ୍ କରି ଆଉଟ୍ ହୋଇଯାଇ ଥିବାବେଳେ ଡେବ୍ୟୁ ମ୍ୟାଚରେ ଦର୍ଶନୀୟ ସର୍ଟ୍ସ ଖେଳୁଥିବା ସର୍ଫରାଜ ରନ୍ ଆଉଟ୍ ହୋଇ ଯାଇଥିଲା। ଜାଡେଜା ଅପରାଜିତ ରହିଥିଲେ। କୁଳଦୀପ ଯାଦବ ତାଙ୍କ ସାଥ୍ ଦେଇଥିଲେ।
ଦ୍ୱିତୀୟ ଦିନରେ ଜାଡେଜା ଓ କୁଳଦୀପ ପାଳି ଆରମ୍ଭ କରିଥିଲେ। କିନ୍ତୁ ଆରମ୍ଭରୁ ଯାଦବଙ୍କ ୱିକେଟ୍ ଯାଇଥିଲା। ଏହା ପରେ ପରେ ଜାଡେଜା ମଧ୍ୟ ପାଭିଲିଅନ ଫେରିଥିଲେ। ଜାଡେଜା ଆଉଟ୍ ହେବା ପରେ ଡେବ୍ୟୁ ମ୍ୟାଚ୍ ଖେଳୁଥିବା ଧ୍ରୁବ ଜୁରେଲ ଏବଂ ଅଶ୍ୱିନୀଙ୍କ ଯୋଡ଼ି ଦଳୀୟ ସ୍କୋରକୁ ଆଗେଇ ନେଇଥିଲା। ଧ୍ରୁଭ ଜୁରେଲ ୪୬ ରନ୍ କରିଥିବା ବେଳେ ଅଶ୍ୱିନ ୩୭ ରନ୍ ଏବଂ ଯଶପ୍ରୀତ ବୁମ୍ରା ୨୬ ରନ୍ କରିଛନ୍ତି।
ପାଞ୍ଚ ଟିକିଆ ଏହି ଟେଷ୍ଟ୍ ସିରିଜରେ ଉଭୟ ଟିମ୍ ୧-୧ରେ ବରାବର ରହିଛନ୍ତି। ତୃତୀୟ ମ୍ୟାଚ୍ ଜିତି ଦୁଇ ଦଳ ସିରିଜ୍ କବଜା ଲକ୍ଷ୍ୟରେ ଅଛନ୍ତି।