ପାକିସ୍ତାନରେ ନୱାଜ ସରକାର!
ଇସଲାମାବାଦ: ପାକିସ୍ତାନରେ ଅରାଜକତା ବ୍ୟାପିବାରେ ଲାଗିଛି । ନିର୍ବାଚନ ଫଳାଫଳକୁ ଇମ୍ରାନଙ୍କ ଦଳର ନେତା ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ପାକିସ୍ତାନ ସଂସଦୀୟ ନିର୍ବାଚନର ଫଳାଫଳ ଘୋଷଣାରେ ଅହେତୁକ ବିଳମ୍ବ ହେଉଥିବା ବେଳେ ଆଜି ରାତି ସୁଦ୍ଧା ମିଳିଥିବା ଫଳାଫଳରୁ କେଉଁ ଦଳ ସରକାର ଗଠନ କରିବ ତାହା ସ୍ପଷ୍ଟ ହୋଇପାରିନାହିଁ। ପିଟିଆଇ ସମର୍ଥିତ ପ୍ରାର୍ଥୀମାନେ ଅଧିକାଂଶ ଆସନରେ ବିଜୟୀ ହୋଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତେବେ ଏହା ସତ୍ତ୍ବେ ପିଏମ୍ଏଲ୍-ଏନ୍ ନେତା ନୱାଜ ସରିଫ୍ ବିଜୟ ଭାଷଣ ଦେଇ ମେଣ୍ଟ ସରକାର ପାଇଁ ଆହ୍ବାନ ଦେଇଛନ୍ତି ।
ଏହି ନିର୍ବାଚନ ମଇଦାନରେ ୧୦ରୁ ଅଧିକ ଦଳ ଥିଲେ ମଧ୍ୟ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ଇମ୍ରାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ), ଯାହାର ପ୍ରାର୍ଥୀ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ପୂର୍ବରୁ ତିନିଥର ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମ୍ଏଲ୍-ଏନ୍) ଏବଂ ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମଧ୍ୟରେ ହୋଇଥିଲା। ସରକାର ଗଢ଼ିବାକୁ ହେଲେ ନ୍ୟାସନାଲ ଆସେମ୍ବଲିରେ ଗୋଟିଏ ଦଳକୁ ୨୬୫ ଆସନରୁ ୧୩୩ଟି ଆସନ ଜିତିବାକୁ ପଡ଼ିବ। ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଗୋଟିଏ ଆସନ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ମହିଳା ଓ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷିତ ସ୍ଥାନକୁ ମିଶାଇ ମୋଟ ୩୩୬ଟି ଆସନରୁ ସଂଖ୍ୟାଗରିଷ୍ଠତା ହାସଲ କରିବା ପାଇଁ ମୋଟ ୧୬୯ଟି ଆସନର ଆବଶ୍ୟକତା ରହିଛି। ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି)ର ତଥ୍ୟ ଅନୁଯାୟୀ ୨୧୦ଟି ନିର୍ବାଚନ ମଣ୍ଡଳୀର ଫଳାଫଳ ପ୍ରକାଶ ପାଇଛି, ଯେଉଁଥିରେ ବିଜୟୀଙ୍କ ମଧ୍ୟରେ ୮୯ ଜଣ ସ୍ୱାଧୀନ (ପିଟିଆଇ ସମର୍ଥିତ), ପିଏମ୍ଏଲ୍-ଏନ୍ର ୬୦, ପିପିପିର ୪୭ ଏବଂ ଛୋଟ ଦଳକୁ ଯାଉଥିବା ଅନ୍ୟାନ୍ୟ ଆସନ ରହିଛି। ପାକିସ୍ତାନ କର୍ତ୍ତୃପକ୍ଷ ନିର୍ବାଚନ ଫଳାଫଳ ଘୋଷଣାରେ ବିଳମ୍ବ କରୁଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ପିଟିଆଇର ଜନାଦେଶ ଚୋରି ହେଉଛି ବୋଲି ଅଭିଯୋଗ ପରେ ହଜାର ହଜାର ଜନତା ବିଭିନ୍ନ ସ୍ଥାନରେ ଗଣତି କେନ୍ଦ୍ରଗୁଡ଼ିକୁ ଘେରି ରହିଥିଲେ। ଏହାପରେ ନିର୍ବାଚନ କମିସନ ଦ୍ରୁତ ଗତିରେ ଫଳାଫଳ ଜାରି କରିବା ଆରମ୍ଭ କରିଥିଲା। କ୍ରିକେଟରରୁ ରାଜନେତା ପାଲଟିଥିବା ୭୧ ବର୍ଷୀୟ ଇମ୍ରାନଙ୍କୁ ଜେଲରେ ରଖାଯାଇଛି ଏବଂ ତାଙ୍କୁ ନିର୍ବାଚନ ଲଢ଼ିବାକୁ ବାରଣ କରାଯାଇଛି। ପିଟିଆଇ ପ୍ରାର୍ଥୀମାନେ ଦଳୀୟ ଚିହ୍ନ- କ୍ରିକେଟ୍ ବ୍ୟାଟ୍ ବ୍ୟବହାର କରିବାକୁ ଅନୁମତି ନ ମିଳିବାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଛନ୍ତି।