ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
ଭୁବନେଶ୍ବର: ଷୋଡ଼ଶ ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ଶୋକ ବ୍ୟକ୍ତ କଲେ ରାଜ୍ୟପାଳ ରଘୁବର ଦାସ। ଏହାପରେ ଗୃହରେ ନିଜର ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ। ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ବିଧାନସଭାରେ ରଖିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ରାଜ୍ୟ ସରକାର ମା’ ସମଲେଇ ପ୍ରକଳ୍ପକୁ ମଧ୍ୟ ଲୋକାର୍ପିତ କରିଛନ୍ତି। ୨୦୦ କୋଟି ଟଙ୍କା ଖର୍ଚ୍ଚରେ ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ ମନ୍ଦିର ମା’ ସମଲେଇ ମନ୍ଦିରର ନବକଳେବର କରିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ସେହିଭଳି ୨୮୦ କୋଟି ଟଙ୍କା ଖର୍ଚ୍ଚରେ ଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର୍ର ବିକାଶ କରିଛନ୍ତି। ବିଭିନ୍ନ ଐତିହ୍ୟସ୍ଥଳୀର ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଆମ ଓଡ଼ିଶା, ନବୀନ ଓଡ଼ିଶା ଏକ ଅନନ୍ୟ ପଦକ୍ଷେପ। ରାଜ୍ୟ ସରକାର ଗ୍ରାମୀଣ ଓଡ଼ିଶାର ଦ୍ରୁତ ବିକାଶ ଓ ଗ୍ରାମାଞ୍ଚଳର ଅଭିବୃଦ୍ଧି ପାଇଁ ବିକାଶମୂଳକ ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ଗ୍ରାମୀଣ ବିକାଶ ସହ ଇଣ୍ଟରନେଟ ସୁବିଧା, ଡିଜିଟାଲ ସୁବିଧା, ସଂସ୍କୃତିର ପ୍ରଚାର ପ୍ରସାର ଓ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର ।ରାଜ୍ୟପାଳ ରଘୁବର ଦାସ କହିଛନ୍ତି, ଗତ ୧୭ ଜାନୁଆରୀରେ ୮୦୦ କୋଟି ବ୍ୟୟରେ ହୋଇଥିବା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ସରକାରଙ୍କୁ ଧନ୍ୟବାଦ। ପୁରୀ ପରିକ୍ରମା ପ୍ରକଳ୍ପ ଜରିଆରେ ଭକ୍ତଙ୍କୁ ଆଧ୍ୟାତ୍ମିକ ଅନୁଭବ ଦେବା ସହ ସେମାନଙ୍କ ପାଇଁ ଅନେକ ସୁବିଧା ଯୋଗାଇ ଦିଆଯାଇଛି।