‘ଡ୍ରୋନ୍‌ ଯୁଦ୍ଧ’କୁ ନେଇ ସମଗ୍ର ବିଶ୍ବରେ ସଙ୍କଟ !

ଆମେରିକା-ରୁଷ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ପ୍ରତିଦ୍ବନ୍ଦ୍ବିତା ଥମି ଯାଇଥିଲା। ଏହା ସହ ମାରାତ୍ମକ ଗଣବିଧ୍ବଂସୀ ଓ ଧ୍ବଂସକାରୀ ଆଣବିକ ଅସ୍ତ୍ରଶସ୍ତ୍ରର ସଂକଟ ମଧ୍ୟ କମିବା ଆଶା ବଢ଼ିଥିଲା। ବର୍ତମାନ ପୁଣିଥରେ ‘ଡ୍ରୋନ୍‌ ଯୁଦ୍ଧ’କୁ ନେଇ ସମଗ୍ର ବିଶ୍ବରେ ସଙ୍କଟ ସୃଷ୍ଟି ହୋଇଛି। ଏବେ କୃତ୍ରିମ ବୁଦ୍ଧିମତା ଯୋଡ଼ି ହେବା ପରେ ଏହି ସଙ୍କଟ ଆହୁରି ଘନିଭୂତ ହୋଇଛି। ଯଦିଓ ଏହି ଡ୍ରୋନ୍‌ ଯୁଦ୍ଧକୁ ନେଇ ମିଳିତ ଜାତିସଂଘ ଠାରୁ ଆରମ୍ଭ ବିଶ୍ବର ଅନେକ ଶାନ୍ତି ସଂଗଠନ ଚିନ୍ତା ପ୍ରକଟ କରିଛନ୍ତି, କିନ୍ତୁ ସାଂପ୍ରତିକ ପରିସ୍ଥିତିର ଅନୁଶୀଳନରେ ଏହି ସଙ୍କଟ ଥମିବାର ସମ୍ଭାବନା ଅସ୍ପଷ୍ଟ। ବିଶ୍ବରେ ଯୁଦ୍ଧ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ଏକ ବେସରକାରୀ ସଂସ୍ଥାର ତଥ୍ୟାନୁସାରେ, ଜାନୁଆରୀ ୨୦୧୫ରୁ ମଇ ୨୦୧୮ ମଧ୍ୟରେ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଆମେରିକା ସେନାବାହିନୀ ୫୦୩ ଥର ଡ୍ରୋନ୍‌ ଦ୍ବାରା ଆକ୍ରମଣ କରିଥିଲା। ସେହିଭଳି ୧ ଜୁଲାଇ ୨୦୦୭ ରୁ ୨୫ ନଭେମ୍ବର ୨୦୧୮ ମଧ୍ୟରେ ସୋମାଲିଆରେ ଆମେରିକା ସେନା ପକ୍ଷରୁ ୧୧୨ ଥର ଡ୍ରୋନ୍‌ ଆକ୍ରମଣ କରାଯାଇଛି। ୨୦୦୯ ଡିସେମ୍ବର ୧୭ରୁ ୨୦୧୮ ସେପ୍ଟମ୍ବର ୨୮ ତାରିଖ ମଧ୍ୟରେ ୟେମେନରେ ଆମେରିକା ସେନା ପକ୍ଷରୁ ୩୧୯ ଥର, ୨୦୦୪ ଜୁନ୍‌ ୧୭ ଠାରୁ ୨୦୧୮ ଜାନୁଆରୀ ୨୪ ତରିଖ ମଧ୍ୟରେ ପାକିସ୍ତାନରେ ୪୩୧ ଥର ଆମେରିକା ସେନା ଡ୍ରୋନ୍‌ଆକ୍ରମଣ କରିଛି। ୨୦୦୯ରୁ ୨୦୧୮ ମଧ୍ୟରେ ଆମେରିକା ସେନା ପକ୍ଷରୁ ବିଶ୍ବର ବିଭିନ୍ନ ସ୍ଥାନରେ ୧୬୯୭ ଥର ଡ୍ରୋନ୍‌ ଦ୍ବାରା ଆକ୍ରମଣ କରାଯାଇଛି।