ଭୁବନେଶ୍ବରରେ ଭାଷାବିତ୍ଙ୍କ ଭିଡ: ୧୧ଟା ସମୟରେ ବନ୍ଦେ ଉତ୍କଳ ଜନନୀ’ ଗାନ
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ବିଶ୍ଵ ଓଡିଆ ଭାଷା ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଓଡ଼ିଶା ସରକାର କରିଛନ୍ତି ଭବ୍ୟ ଆୟୋଜନ। ଆଜି ଦିନ ୧୧ଟା ସମୟରେ ଓଡ଼ିଆ ଭାଷା ମହାକୁମ୍ଭକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ସ୍ତରୀୟ ଓଡ଼ିଆ ଭାଷା ସମ୍ମିଳନୀ ହେଉଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାଇବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ୍ ଯୋଗ ଦେଉଥିବାବେଳେ ସେମାନେ ନିଜ ନିଜର ମୂଲ୍ଯବାନ ମତ ରଖିବେ। ସମସ୍ତଙ୍କ ମତ ଆଧାରରେ ଆଗାମୀ ଦିନ ପାଇଁ ଓଡ଼ିଆ ଭାଷାକୁ ନେଇ ରୋଡମ୍ୟାପ ପ୍ରସ୍ତୁତ କରିବେ ସରକାର। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ରହିଛି ମୋଟ ୧୭ଟି ସେସନ୍।
ଉଦଘାଟନୀ ଦିବସରେ ଜଗନ୍ନାଥ ସଂସ୍କୃତି ଉପରେ ସ୍ବତନ୍ତ୍ର ଅଧିବେଶନ ରହିଛି। ଓଡ଼ିଆ ଭାଷା ଉପରେ ଏକ ମ୍ୟୁଜିୟମ ପ୍ରସ୍ତୁତ କରାଯାଇଛି। ସାରା ରାଜ୍ୟରେ ଲୋକ ଏହାର ସିଧା ପ୍ରସାରଣ ଦେଖିବା ପାଇଁ ସବୁ ପଂଚାୟତ ଓ ପୌରାଞ୍ଚଳରେ ବ୍ୟବସ୍ଥା ହୋଇଛି। ଅକ୍ଷର ଭୂମିକୁ ବି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଅପିଲ୍ କରାଯାଇଛି। ଭାଷା ଆଧାରରେ ସ୍ଵତନ୍ତ୍ର ରାଜ୍ୟ ଗଠନ ହୋଇଛି ଓଡିଶା। ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ସହ ସରକାରୀ ଭାଷା ଭାବେ ବ୍ୟବହାର କରାଯାଉଛି। ଓଡିଆ ଭାଷା କାହିଁକି ଉତ୍କୃଷ୍ଟ, କିପରି ଓଡିଆ ଭାଷା ସବୁଠୁ ସମୃଦ୍ଧ, ଏ ବାବଦରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା ହେବ। ବରପୁତ୍ରଙ୍କ ନାମରେ ସମ୍ମିଳନୀ କକ୍ଷ, ସ୍ଵତନ୍ତ୍ର ପ୍ରଦର୍ଶନୀ, ବିଭିନ୍ନ ପ୍ରସଙ୍ଗରେ ବିଶେଷ ଆଲୋଚନା ହେବ ।