ରାଞ୍ଚି:ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝଟକା। ଇଡିର ଗିରଫଦାରୀ ବିରୁଦ୍ଧରେ କରିଥିବା ଆବେଦନକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ। ଏ ମାମଲା ଉପରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇପାରିବ ନାହିଁ, ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଗତ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ଇଡିର ଏହି ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋରେନ। ଆଜି ଏହି ମାମଲା ଉପରେ ବିଚାର କରି ଆବେଦନକୁ ଖାରଜ କରିଦେଇଛନ୍ତି ଅଦାଲତ।
ହେମନ୍ତ ସୋରେନଙ୍କୁ ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଡି । ତେବେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏଥିସହ ତାଙ୍କୁ ଦିନକ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଗତକାଲି ରାତିରେ ବିଚାର ବିଭାଗୀୟ ହାଜତରେ ରାତିକାଟିଥିଲେ ହେମନ୍ତ।