ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆସନ୍ତା ୬ତାରିଖରେ ଓଡ଼ିଶାରେ ପ୍ରବେଶ କରିବ । ବୀରମିତ୍ରପୁରଠାରେ ରାହୁଲ ଗାନ୍ଧିଙ୍କୁ ସ୍ୱାଗତ କରିବା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ରାହୁଲ ୬ରେ ବୀରମିତ୍ରପୁର ଓ ୭ରେ ଝାରସୁଗୁଡ଼ାରେ ରାତି ବିତାଇବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ରାହୁଲଙ୍କ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ଓଡ଼ିଶାର ୪ଟି ଜିଲ୍ଲାରେ ହେବାର ଥିଲେ ମଧ୍ୟ ଏବେ ତାହା କେବଳ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ମଧ୍ୟରେ ସୀମିତ ରହିବ ବୋଲି ପିସିସି ସୂତ୍ରରୁ ଜଣାପଡ଼ିଛି ।
ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ଭାରତଯୋଡ଼େ ନ୍ୟାୟ ଯାତ୍ରା ବୀରମିତ୍ରପୁର ଦେଇ ଓଡ଼ିଶାରେ ପ୍ରବେଶ କରିବ । ୬ତାରିଖ ସନ୍ଧ୍ୟାରେ ରାହୁଲଙ୍କୁ ବୀରମିତ୍ରପୁରଠାରେ ସ୍ୱାଗତ କରିବା ପାଇଁ ପିସିସି ପକ୍ଷରୁ ଆୟୋଜନ କରାଯାଇଛି । ୬ତାରିଖରେ ରାହୁଲ ବୀରମିତ୍ରପୁରରେ ରାତି ବିତାଇବେ । ତା’ପରଦିନ ସକାଳୁ ରାଉରକେଲାରେ ରୋଡ୍ ଶୋ’ କରାଯିବ । ରାଜଗାଙ୍ଗପୁରରୁ ସୁନ୍ଦରଗଡ଼, ବଡ଼ଗାଁ ଓ ଉତ୍ତରା ହୋଇ ରାହୁଲଙ୍କ ନ୍ୟାୟ ଯାତ୍ରା ଝାରସୁଗୁଡ଼ାରେ ପହଂଚିବ।