ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର

ପାଟନା : ପୁଣି ଏନଡିଏ ସରକାରକୁ ଫେରିଛନ୍ତି ନୀତିଶ କୁମାର ।  ଆରଜେଡି ହାତ ଛାଡି ବିଜେପି ସହ ମିଶି ନୂଆ ସରକାର ଗଠନ କରିଛନ୍ତି ଜେଡିୟୁ ମୁଖିଆ ନୀତିଶ କୁମାର। ୯ମ ଥର ପାଇଁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ବିହାରର ରାଜ୍ୟପାଳ ତାଙ୍କୁ ଏହି ଶପଥ ପାଠ କରାଇଛନ୍ତି । ନୀତିଶଙ୍କ ସହ ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଜେଡିୟୁ-ବିଜେପି ମେଣ୍ଟ ସରକାରର ଏହି ଶପଥ ଗ୍ରହଣ ସମାରୋହରେ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ।

ନୀତିଶ କୁମାରଙ୍କ ସମେତ ଆଜି ଶପଥ ନେଇଛନ୍ତି ୯ ମନ୍ତ୍ରୀ। ଜେଡିୟୁ ଓ ବିଜେପିରୁ ୩ ଜଣ ଲେଖାଏଁ ଶପଥ ନେଇଥିବା ବେଳେ ଜଣେ ସ୍ୱାଧୀନ ବିଧାୟକ ଓ ହମ୍ ପାର୍ଟିରୁ ଜଣେ ମନ୍ତ୍ରୀ ହୋଇଛନ୍ତି। ବିଜେପିରୁ ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା, ପ୍ରେମ କୁମାର ମନ୍ତ୍ରୀ ହୋଇଥିବା ବେଳେ ଜେଡିୟୁରୁ ବିଜୟ ଚୌଧୁରୀ, ଶ୍ରବଣ କୁମାର, ବିଜେନ୍ଦ୍ର ଯାଦବ ମନ୍ତ୍ରୀ ହୋଇଛନ୍ତି। ହମ୍ ପାର୍ଟିରୁ ସନ୍ତୋଷ କୁମାର ସୁମନ ମନ୍ତ୍ରୀପଦର ଶପଥ ନେଲେଥିବା ବେଳେ ସ୍ୱାଧୀନ ବିଧାୟକ ସୁମିତ କୁମାର ସିଂ ମନ୍ତ୍ରୀପଦର ଶପଥ ନେଇଛନ୍ତି।