ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଇ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ।ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ମା’ ସମଲେଇ ଆମ ସମସ୍ତଙ୍କର ଆରାଧ୍ୟ ଦେବୀ। ତାଙ୍କରି କୃପା ଓ ଆଶିଷରେ ‘ସମଲେଇ’ ପ୍ରକଳ୍ପ ସାକାର ହୋଇଛି। ଏବେ ମା’ଙ୍କ ପୀଠର ଭବ୍ୟ ପରିବେଶ ସମସ୍ତଙ୍କୁ ଦିବ୍ୟ ଅନୁଭବ ପ୍ରଦାନ କରୁଛି। ମା’ଙ୍କ କାର୍ଯ୍ୟରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ମୋର ଧନ୍ୟବାଦ ଜଣାଉଛି। ଜୟ ମା’ ସମଲେଇ ।
ମୁଖ୍ୟମନ୍ତ୍ରୀ ଯଜ୍ଞ ସ୍ଥଳରେ ଉପସ୍ଥିତ ରହିଥିବା ବେଳେ ମା’ଙ୍କର ଲୋକାର୍ପଣ କାର୍ଯ୍ୟ ସମସ୍ତ ରୀତିନିତି ମୁତାବକ ସମ୍ପନ୍ନ ହୋଇଥିଲା । ୪୦ ଏକର ପରିମିତ ଅଞ୍ଚଳରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭ୍ୟ ରୂପାନ୍ତରଣ ହୋଇଛି । ଏହି କାର୍ଯ୍ୟ ପାଇଁ ୩ ହଜାରରୁ ଅଧିକ ଶ୍ରମିକ ଓ କର୍ମଚାରୀ ଦିନରାତି ପରିଶ୍ରମ କରିଥିଲେ । ମା’ ସମଲେଇ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ପ୍ରକଳ୍ପ ଓ ମନ୍ଦିରର ବିକାଶ କାର୍ଯ୍ୟ ଦେଖି ଖୁସି ଜାହିର କରିଛନ୍ତି । ଏହି ପ୍ରକଳ୍ପରେ ୪ଟି ଦ୍ୱାର, ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟ, ୱାଚ ଟାୱର, ଭୋଗ ମଣ୍ଡପ, ଦୀପ ଗୃହ, ଫାଉଣ୍ଟେନ, ଯାତ୍ରୀଙ୍କ ବିଶ୍ରାମ ଗୃହ ସହିତ ମିଶନ ଶକ୍ତି କାଫେ ରହିଛି । ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାରେ ସମଲେଇ ପ୍ରକଳ୍ପରେ ବିଦ୍ୟୁତ ବିଭାଗ ଭୂତଳ ବିଦ୍ୟୁତ ବ୍ୟବସ୍ଥା କରିଛନ୍ତି । ମୁଖ୍ୟ ଯଜ୍ଞସ୍ଥଳୀକୁ ଛାଡ଼ିଦେଲେ ୪ଟି ମୁଖ୍ୟ ଦ୍ୱାରରେ ୪ଟି ଯଜ୍ଞସ୍ଥଳୀ କରାଯାଇଛି ।ଏହି ଲୋକାର୍ପଣ ଉତ୍ସବ ପାଇଁ ରାଜ୍ୟ ସରକାର ଜାନୁଆରୀ ୨୭ ତାରିଖକୁ ପୂର୍ବରୁ ଛୁଟି ଘୋଷଣା କରିଥିଲେ । ସେଥିପାଇଁ ଆଜି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଥିଲା ।