୭ ୱିକେଟ୍ ହରାଇ ୪୨୧ ରନ୍ ସଂଗ୍ରହ କରିଛି

ହାଇଦ୍ରାବାଦରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ୪୨୧ ରନ୍ ସଂଗ୍ରହ କରିଛି ଭାରତ। ଦ୍ୱିତୀୟ ଦିନରେ ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୭ ୱିକେଟ୍ ହରାଇ ୪୨୧ ରନ୍ ସଂଗ୍ରହ କରିଛି।ଚାରି ଓ ପାଞ୍ଚ ନମ୍ବରରେ ଆସିଥିବା କେ.ଏଲ୍ ରାହୁଲ ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ୬୪ ରନ୍‌ର ପାର୍ଟନରଶିପ ହୋଇଥିଲା। ୬୩ଟି ବଲ୍‌ରେ ୩୫ ରନ୍ କରି ଆଉଟ୍ ହୋଇଯାଇଥିଲେ ଶ୍ରେୟସ ଆୟର। ଏହା ପରେ ଆସିଥିଲେ ରବୀନ୍ଦ୍ର ଜାଡେଜା। କେ.ଏଲ୍ ରାହୁଲ ଓ ଜାଡେଜାଙ୍କ ମଧ୍ୟରେ ୬୫ରନ୍‌ (୭୪ ବଲ୍‌)ର ଏକ ଭଲ ଭାଗୀଦାରି ହୋଇଥିଲା। ଦୁହିଁଙ୍କ ଯୋଡ଼ି ଫିଲ୍‌ଡରେ ଜମି ଯାଇଥିବା ବେଳେ ଆଉଟ୍ ହୋଇଯାଇଥିଲେ ରାହୁଲ। ସେ ୮୬ ରନ୍‌ (୧୨୩ ବଲ୍‌, ୮ ଚୌକା ଓ ୨ ଛକା) କରିଥିବା ବେଳେ ଟମ୍ ହାର୍ଟଲୀଙ୍କ ବଲ୍‌ରେ ରେହାନ ଅହମଦଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏହା ସହିତ ପ୍ରଥମ ଇନିଂସରେ ଦଳ ଇଂଲଣ୍ଡ ଠାରୁ ୧୭୫ ରନ୍‌ରେ ଆଗୁଆ ରହିଛି। ଇଂଲଣ୍ଡ ଗତକାଲି ତା’ର ପ୍ରଥମ ଇନିଂସରେ ୨୪୬ ରନ୍ କରି ଆଉଟ୍ ହେବା ପରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଗତକାଲି ଦଳ ଷ୍ଟମ୍ପ ଅପସାରଣ ବେଳକୁ ଗୋଟିଏ ୱିକେଟ୍ ହରାଇ ୧୧୯ ରନ୍ କରିଥିଲା। ଯଥାକ୍ରମେ ୭୬ ଓ ୧୪ ରନ୍ କରି ଅପରାଜିତ ରହିଥିବା ଯଶସ୍ୱୀ ଜୈସ୍ୱାଲ ଓ ଶୁବମନ ଗିଲ ଆଜି ପୁଣି ଇନିଂସକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ଶୀଘ୍ର ଆଉଟ ହୋଇଯାଇଥିଲେ ଯଶସ୍ୱୀ ଜୈସ୍ୱାଲ। ୮୦ ରନ୍ କରିଥିବା ବେଳେ ଜୋ ରୁଟ୍‌ଙ୍କ ଦ୍ୱାରା ସେ କଟ୍‌ ଆଣ୍ଡ୍ ବୋଲ୍‌ଡ ହୋଇଥିଲେ। ଗିଲ୍‌ ମଧ୍ୟ ବିଶେଷ କିଛି ରନ୍ ଯୋଡ଼ି ପାରିଲେ ନାହିଁ। ମାତ୍ର ୨୩ ରନ୍‌ରେ ସେ ଆଉଟ୍ ହୋଇଯାଇଥିଲେ।