ଦୁବାଇରେ ଓଲିଉଡ୍ ପୁରସ୍କାର ମହୋତ୍ସବ 

ଦୁବାଇ: ଦୁବାଇରେ ଓଲିଉଡ ପୁରସ୍କାର ମହୋତ୍ସବ ।  ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ  ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏବଂ ୟୁଏଇ ଓଡ଼ିଶା ସମାଜର ସଂଯୁକ୍ତ ଆନୁକୂଲ୍ୟରେ ଏହି ବିଶାଳ ଚଳଚ୍ଚିତ୍ର ସମାରୋହ ଦୁବାଇରେ ଆୟୋଜିତ ହେଉଛି । ଏଥିରେ ଓଡ଼ିଆ କଳାକାର ଜଗତର ବିଶିଷ୍ଟ କଳାକାର, ପ୍ରଯୋଜକ, ନିର୍ଦେଶକଙ୍କ ସହ ଏହି ଶିଳ୍ପରେ କାମ କରୁଥିବା ବିଶିଷ୍ଟ ଲୋକମାନେ ମଧ୍ୟ ଯୋଗ ଦେଇଛନ୍ତି । ଫାଇଭ ଷ୍ଟାର ଫିଲ୍ମ ଆୱାର୍ଡସ୍ ୨୦୨୪ ଦୁବାଇ ଭାବରେ ନାମିତ  ରଙ୍ଗାରଙ୍ଗ ଉତ୍ସବରେ ଓଡ଼ିଆ କଳାକାର ଯୋଗଦେଇ ଓଡ଼ିଶାର ସଂସ୍କୃତି, କଳା,ଐତିହ୍ୟକୁ ବିଦେଶରେ ପ୍ରଚାର ପ୍ରସାର କରିଛନ୍ତି ।  ଅଭିନେତା ତଥା ସାଂସଦ ପ୍ରଶାନ୍ତ ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି । ଦୁବାଇ ସ୍ଥିତ ଭାରତୀୟ କନସଲ ଜେନେରାଲ ସତୀଶ ଶିବନ ଓ ଡାନ୍ୟୁବ ଗ୍ରୁପର ଅଧ୍ୟକ୍ଷ ରିଜୱାନ୍ ସାଜନ୍ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ରହିଛନ୍ତି। ବିଜେତାମାନଙ୍କୁ ବାଛିବା ପାଇଁ ଗଠିତ ଚୟନ କମିଟିର ସଦସ୍ୟ ଭାବରେ ଡ଼ଃ ରଜନୀ ରଞ୍ଜନ ଓ ପ୍ରଶାନ୍ତ ପାଢ଼ୀ ଅଛନ୍ତି। ପୁରସ୍କାର ଉତ୍ସବ ର ମୁଖ୍ୟ ଆୟୋଜକ ଏବଂ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନର ପ୍ରତିଷ୍ଠାତା ରମେଶ ବାରିକ ଅଛନ୍ତି । ସମାରୋହର ସହଆୟୋଜକ ତଥା ୟୁ.ଏ .ଇ. ଓଡ଼ିଶା ସମାଜର ସଭାପତି ଅମୀୟ ମିଶ୍ର ମଧ୍ୟ ରହିଛନ୍ତି ।  ମହୋତ୍ସବର ମୁଖ୍ୟ ଉପଦେଷ୍ଟା ଏବଂ ୱାଲର୍ଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ଓଡ଼ିଆ ସିନେମା ଜଗତର ଗୁଣି ପ୍ରତିଭାମାନଙ୍କୁ ଆନ୍ତର୍ଜାତିକ ମଞ୍ଚରେ ସ୍ୱୀକୃତି ଦେବା ଓ ସମ୍ମାନୀତ କରିବା ପାଇଁ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ କର୍ତ୍ତୃପକ୍ଷ  ରହିଛନ୍ତି ।

ଦୁବାଇର ଓଉଦ ମେଠାସ୍ଥିତ ଶେଖ୍ ରସିଦ ପ୍ରେକ୍ଷାଳୟ ଠାରେ ସନ୍ଧ୍ୟା ୫ଟାଠାରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ୧୫୦୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ର ପ୍ରେମୀ ଜନସାଧାରଣ ଏବଂ ଓଡ଼ିଆ ତାରକାମାନଙ୍କ ଅସଂଖ୍ୟ ପ୍ରଶଂସକ ଯୋଗ ଦେଇଛନ୍ତି ।  ଓଲିଉଡର ଏହି ମହାକୁମ୍ଭ ମେଳାରେ ଭାଗ ନେବା ପାଇଁ ଭୁବନେଶ୍ବରରୁ ପ୍ରାୟ ୧୦୫ଜଣ ଚଳଚ୍ଚିତ୍ର, ନୃତ୍ୟ ଓ ସଙ୍ଗୀତ ଜଗତର ପ୍ରତିଷ୍ଠିତ କଳାକାରମାନେ ଦୁବାଇରେ ଅଛନ୍ତି ।