ବାଂଲାଦେଶରେ ନିର୍ବାଚନ ପୂର୍ବରୁ ହିଂସା
ଢାକା: ନିର୍ବାଚନ ପୂର୍ବରୁ ବାଂଲାଦେଶରେ ହିଂସା । ଟ୍ରେନ୍ ପରେ ପୋଲିଂ ବୁଥ ଏବଂ ସ୍କୁଲ ବସରେ ଲୋକେ ଲଗାଇଦେଲେ ନିଆଁ । ସାଧାରଣ ନିର୍ବାଚନ ପୂର୍ବରୁ ଚାରିଟି ପୋଲିଂ ବୁଥ ଏବଂ ୫ଟି ପ୍ରାଥମିକ ବିଦ୍ୟାଳୟରେ ହିଂସା ଦେଖାଦେଇଛି । ବାଂଲାଦେଶ ରାଜଧାନୀ ଢାକା ଉପକଣ୍ଠ ଗାଜିପୁରରେ ଅଗ୍ନିକାଣ୍ଡ ଘଟଣାରେ ପୋଲିସ୍ ତଦନ୍ତ କରୁଛି । ରବିବାର ହେବାକୁ ଥିବା ନିର୍ବାଚନକୁ ରୋକିବା ପାଇଁ ଅପରାଧିମାନେ ବିଳମ୍ବିତ ରାତିରେ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଏହି ଅପରାଧୀଙ୍କୁ ଧରିବା ପାଇଁ ଚାରିଆଡେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଘଟଣାସ୍ଥଳରେ ହାଇ ଆଲର୍ଟ ଜାରି କରିଛି ପୋଲିସ୍ । ମୁଖ୍ୟ ବିରୋଧୀ ଦଳର ସମର୍ଥକ ଏବଂ କର୍ମୀମାନେ ବିଭିନ୍ନ ଯାଗାରେ ହିଂସା କରୁଛନ୍ତି ବୋଲି ଅଭିଯୋଗ ଆସିଛି । ଗତ ଶୁକ୍ରବାର ରାତିରେ ଯାତ୍ରୀବାହୀ ବସରେ ନିଆଁ ଲଗାଇଦେଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । କିଛି ଦିନଧରି ଚାଲିଥିବା ହିଂସାକାଣ୍ଡରେ ଅନେକ ଲୋକ ଆହତ ହୋଇଛନ୍ତି ।