ଟି -୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଖେଳାଯିବାକୁ ଥିବା ୨୦୨୪ ଟି -୨୦ ବିଶ୍ୱକପ୍‌ର କାର୍ଯ୍ୟସୂଚୀକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଘୋଷଣା କରିଛି । ପାକିସ୍ତାନ ସହ ମ୍ୟାଚ୍ ଜୁନ୍ ୯ରେ ଅନୁଷ୍ଠିତ ହେବ । ଏହା ବ୍ୟତୀତ ୧୨ ଜୁନରେ ଭାରତ-ଆମେରିକା ଏବଂ ୧୫ ଜୁନରେ କାନାଡା ବିପକ୍ଷରେ ମ୍ୟାଚ୍ ହେବ । ୨୦୨୪ ଟି -୨୦ ବିଶ୍ୱକପରେ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍ କେବଳ ୱେଷ୍ଟଇଣ୍ଡିଜରେ ଖେଳାଯିବ । ପ୍ରଥମ ସେମିଫାଇନାଲ ମ୍ୟାଚ୍ ଜୁନ୍ ୨୬ରେ ଗୟାନାଠାରେ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲ ଜୁନ୍ ୨୭ରେ ତ୍ରିନିଦାଦରେ ଅନୁଷ୍ଠିତ ହେବ । ଟୁର୍ନାମେଣ୍ଟ ଟାଇଟଲ୍ ମ୍ୟାଚ୍ ଅର୍ଥାତ୍ ଫାଇନାଲ୍ ମ୍ୟାଚ୍ ଜୁନ୍ ୨୯ରେ ବାରବାଡୋସରେ ଖେଳାଯିବ । ଏହି ଟୁର୍ନାମେଣ୍ଟରେ ଭାରତୀୟ ଦଳ ଗ୍ରୁପ୍‌-ଏରେ ଅଛି । ଗ୍ରୁପ୍ ଏରେ ଭାରତ ସହିତ ପାକିସ୍ତାନ, ଆମେରିକା, କାନାଡା ଏବଂ ଆୟର୍ଲାଣ୍ଡ ଅଛନ୍ତି । ଟୁର୍ନାମେଣ୍ଟର ଉଦଘାଟନ ଅର୍ଥାତ୍ ପ୍ରଥମ ମ୍ୟାଚ୍ ଜୁନ୍ ୧ ରେ ଆମେରିକା ଏବଂ କାନାଡା ମଧ୍ୟରେ ଖେଳାଯିବ । ୨୦୨୪ ଟି -୨୦ ବିଶ୍ୱକପରେ ମୋଟ ୫୫ ଟି ମ୍ୟାଚ୍ ଖେଳାଯିବ । ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାର ୯ଟି ସ୍ଥାନରେ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ ଯେଉଁଥିରେ ଆମେରିକାର ତିନିଟି ସହର ନ୍ୟୁୟର୍କ ସିଟି, ଡାଲାସ୍ ଏବଂ ମିଆମି ବିଶ୍ୱକପ୍ ମ୍ୟାଚ୍ ଆୟୋଜନ କରିବେ । ଜୁନ୍ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ୨୦୨୪ ଟି -୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍ ଖେଳିବ ।