ପ୍ରଥମ ଦିନରେ ଝଡ଼ିଲା ୨୩ ୱିକେଟ୍
କେପ୍ଟାଉନ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତୀୟ ଦଳର ଖେଳାଳିମାନେ ମାତ୍ର ୧୧ ବଲ୍ ମଧ୍ୟରେ ୬ ୱିକେଟ୍ ହରାଇ ଦେଇଛନ୍ତି। ଗୋଟିଏ ସମୟରେ ୧୫୩/୪ ଚିତ୍ର ଦେଖିବାକୁ ମିଳିଥିଲା ବେଳେ ୧୫୩/୧୦ରେ ପାଳି ଶେଷ ହୋଇଯାଇଥିଲା। ଏଥିପୂର୍ବରୁ ଦକ୍ଷିଣ ଆଫ୍ରିକାର ପ୍ରଥମ ପାଳି ୫୫ ରନ୍ରେ ଶେଷ ହୋଇଥିଲା ବେଳେ ଦ୍ବିତୀୟ ପାଳି ମଧ୍ୟ ବିପର୍ଯ୍ୟୟ ଭରା ହୋଇଛି। ପ୍ରଥମ ଦିନ ଷ୍ଟମ୍ପ୍ସ ବେଳକୁ ଘରୋଇ ଦଳ ଦ୍ବିତୀୟ ପାଳିରେ ୬୨/୩ ସ୍କୋର କରିଛି। ଏହାଫଳରେ ପ୍ରଥମ ଦିନରେ ୨୩ ୱିକେଟ୍ର ପତନ ଘଟିଛି। ଅନ୍ୟପକ୍ଷରେ ଅଧିନାୟକ ଡିନ୍ ଏଲ୍ଗାରଙ୍କ କ୍ରିକେଟ୍ ଜୀବନ ମଧ୍ୟ ଶେଷ ହୋଇଯାଇଛି। ପ୍ରଥମ ପାଳିରେ ୪ ରନ୍ କରିଥିବା ଏଲ୍ଗାର ଦ୍ବିତୀୟ ପାଳିରେ ୧୨ ରନ୍ କରି ଆଉଟ୍ ହୋଇଥିଲେ। ଆଉଟ୍ ହେବା ପରେ ଭାରତୀୟ ଖେଳାଳିମାନେ ତାଙ୍କୁ ବିଦାୟ ମଧ୍ୟ ଜଣାଇଥିଲେ।ମ୍ୟାଚର ପ୍ରଥମ ଦିନରେ ହିଁ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଯାଇଛି କେପଟାଉନ ଟେଷ୍ଟ । ପ୍ରଥମେ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନରେ ଆଉଟ୍ ହେବା ପରେ ଭାରତ ନିଜର ପ୍ରଥମ ଇନିଂସରେ ୧୫୩ ରନରେ ଅଲଆଉଟ ହୋଇଯାଇଛି । ଫଳରେ ଭାରତ ୯୮ ରନରେ ଆଗୁଆ ରହିଥିଲା ।
ଭାରତୀୟ ପାଳିର ୩୪ତମ ଓଭରରୁ ଲୁଙ୍ଗି ଏନ୍ଗିଡି ଏହି ବିପର୍ଯ୍ୟୟ ଘଟଣାଇବା ସହ ତାଙ୍କୁ ସହାୟତା ଦେଇଥିବା କାଗିସୋ ରବାଡ଼ା। ଓଭରର ପ୍ରଥମ ବଲ୍ରେ କେଏଲ୍ ରାହୁଲ୍ଙ୍କୁ ଧିମା ବାଉନ୍ସରରେ ଫସାଇଥିଲେ। ଅପରକଟ୍ ମାରିବାକୁ ଯାଉଥିବା ବେଳେ ଗତି ନପାଇବାରୁ ବଲ୍ କିପରଙ୍କ ହାତରେ ଧରାପଡ଼ିଥିଲା। ସେହି ଓଭରର ତୃତୀୟ ଓ ପଞ୍ଚମ ବଲ୍ରେ ଯଥାକ୍ରମେ ରବୀନ୍ଦ୍ର ଜାଡ଼େଜା ଓ ଯଶପ୍ରୀତ୍ ବୁମ୍ରାଙ୍କୁ ମାର୍କୋ ୟାନସେନ୍ଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ। ଏହାପରଠୁ ରବାଡ଼ାଙ୍କ ଘାତକ ସ୍ପେଲ୍ ଆରମ୍ଭ ହୋଇଥିଲା। ୩୫ତମ ଓଭରର ଦ୍ବିତୀୟ ବଲ୍ରେ ଅର୍ଦ୍ଧଶତକ ଅଭିମୁଖେ ଅଗ୍ରସର ହେଉଥିବା ବିରାଟ କୋହଲି ଏଥର ୪ ରନ୍ ଦୂରରେ ଥିବା ବେଳେ ରବାଡ଼ା ତାଙ୍କୁ ଆଉଟ୍ କରିଥିଲେ। ଲେନ୍ଥ ବଲ୍କୁ କୋହଲି ଡ୍ରାଇଭ୍ କରୁଥିବା ବେଳେ ବ୍ୟାଟ୍ ବାହାର ଏଜ୍ ନେଇ ଦ୍ବିତୀୟ ସ୍ଲିପ୍ରେ ଐଦେନ ମାରକ୍ରମଙ୍କ ହାତକୁ ବଲ୍ ଚାଲିଯାଇଥିଲା। ଗୋଟିଏ ବଲ୍ ବ୍ୟବଧାନରେ ମହମ୍ମଦ ସିରାଜ ରନ୍ଆଉଟ୍ ହୋଇଯାଇଥିଲା ବେଳେ ପରବର୍ତ୍ତୀ ବଲ୍ରେ ପ୍ରସିଦ୍ଧ କୃଷ୍ଣଙ୍କୁ ଖାତା ଖୋଲିବା ପୂର୍ବରୁ ରବାଡ଼ା ପାଭିଲିଅନ୍ ପଠାଇଥିଲେ। ଏହାଫଳରେ ପ୍ରସିଦ୍ଧ କୃଷ୍ଣ ଲଗାତାର ତୃତୀୟ ପାଳିରେ ଖାତା ଖୋଲିବାରେ ବିଫଳ ହୋଇଛନ୍ତି। ମୁକେଶ କୁମାର ଅପରାଜିତ ଥିଲେ ବ୍ୟାଟିଂ ନମିଳିବାରୁ ଖାତା ଖୋଲିପାରି ନଥିଲେ। ଏମାନଙ୍କ ବ୍ୟତୀତ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ୍ ଓ ମଧ୍ୟକ୍ରମରେ ଶ୍ରେୟସ ଆୟର ମଧ୍ୟ କୌଣସି ରନ୍ ଯୋଡ଼ିପାରି ନଥିଲେ।